ତୁମ ଆରାଧିକା ଜଣେ 
                 ବି.ନିରୁପମା

ତୁମରି ସାନିଧ୍ୟ ପାଇବାକୁ ଟିକେ 
ରହିଛି ମୁଁ ଦେହ ଧରି ,
ଆସ ହେ ମୋହନ ଦିଅ ଦରଶନ 
ମୋ ପ୍ରତି କରୁଣା କରି ।

କୃଷ୍ଣା ଅବା ମୀରା ସମ ନୁହେଁ ସିନା 
ତୁମ ଆରାଧିକା ଜଣେ ,
ଅନ୍ତର ଦେଇ ମୁଁ ଭଲପାଏ ଯେଣୁ
ତେଣୁ ଅଧିକାର ମଣେ ।

ମୋ ହୃଦୟେ ସଦା ନାଚେ ତୁମ ଛବି
ସେ ନୀଳଜୀମୂତ କାନ୍ତି ,
ମୋହନ ହେ ତୁମ ଭାବରେ ବୁଡ଼ି ମୁଁ
ଲଭଇ ପରମ ଶାନ୍ତି ।

ଇଚ୍ଛା ହୁଏ ତୁମ ତନୁକୁ ଆଉଜି 
ଶୁଣିବାକୁ ବଂଶୀ ଧ୍ୱନି ,
ଏହି ପ୍ରତୀକ୍ଷାର ଅନ୍ତ କର ଦେବ
ହେ ମୋର ଅନ୍ତରଯାମୀ ।

ସେ ମୁରଲୀ ଧର ନବୀନ କିଶୋର
ରୂପଧରି ଏବେ ଆସ ,
ତୁମରି ମଧୁର ପରଶ ଦେଇ ମୋ 
ହୃଦୟ ବେଦନା ନାଶ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।