ହୋଇଛି ମରତବାସୀ 
               ବି.ନିରୁପମା

ଛଦ୍ମବେଶ ଧରି ଆସିଅଛୁ ବୋଲି
ପାରିବିନି କିରେ ଜାଣି ,
ସଂସାର ମଧ୍ୟରେ ଏଡ଼େ ବଡ଼ ବକ 
ଅତି ଅଦଭୁତ ଠାଣି ।

ଗୋରୁଗଣ ଏଠି ଚରୁଛନ୍ତି ତୃଣ 
ସଖାମାନେ ଛନ୍ତି ଠୁଳ ,
ମନେ ମନେ ଭାବି ଆସିଅଛୁ ତୁହି
କରିବାକୁ କିଛି ଗୋଳ ।

ମୋତେ ଗିଳିବାକୁ ପ୍ରୟାସ କଲୁଣି
ଚାହାଁ ତୋ ଥଣ୍ଟକୁ ଧରି ,
ଏଇକ୍ଷଣି ତାକୁ ଚିରିଦେବି ନିଶ୍ଚେ
ଏଠି ଦୁଇଫାଳ କରି ।

ତଥାପି ଯେବେ ତୁ ଛଳ କରି ମୋତେ
'ବକାସୁର' ଦେବୁ ଗିଳି ,
ତପତ ହୋଇ ମୁଁ ତାଳୁ ଫୁଟାଇକି
ଏଠିକୁ ଆସିବି ଚଳି ।

ସାରା ଜଗତକୁ ସୁରକ୍ଷା ଦେବାକୁ
ହୋଇଛି ମରତବାସୀ ,
ତୋହଭଳି ଯେତେ ଦୁଷ୍ଟ ଛନ୍ତି ଏଠି
ସମସ୍ତଙ୍କୁ ଦେବି ନାଶି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।