କଳାକାହ୍ନୁ ମୋତେ ହସୁଛୁ ଦେଖି ,
ମୁହଁରେ ଲହୁଣୀ ହୋଇଛୁ ମାଖି ।
କା'ଘରୁ କରିଛୁ ଚୋରି ;
ପଡ଼ିଗଲୁ ଏବେ ନଜରରେ ମୋର
ନେବି ରହ ହାତ ଧରି ।

ଅଭିଯୋଗ ଆମେ କରିଲେ ଯାଇ ,
ଯଶୋଦା ଜମାରୁ ଶୁଣନ୍ତି ନାହିଁ ।
ଓଲଟି ଦେଖାନ୍ତି ଆଖି ;
ପୁଅ ଗୁଣ ଆଜି ବଖାଣିବି ଆଗେ
ନିଜେ ଦେଇ ମୁହିଁ ସାକ୍ଷୀ ।

ବକଟେ ଛୁଆ ତୁ ବଡ଼ ଅଦ୍ଭୁତ ,
ଶିକାକୁ କେମିତି ପାଏ ତୋ ହାତ !!
ଦୁଧ,ଦହି,ସର ଆଣି ;
ସଖାଙ୍କ ମେଳରେ ବାଣ୍ଟି ଦେଉ ସବୁ
ଦେଖାଇ ମୁରବି ଠାଣି ।

ସହିଲୁଣି ତୋର ବହୁତ ଦାଉ ,
ତୋ କଅଁଳ କଥା ସେତିକି ଥାଉ ।
ଏ ନିରୀହ ପଣ ତଳେ ;
ଆଉ ଗୋଟେ ଛବି ଲୁଚିଅଛି ତୋର
ଦେଖେଇବି କଳେବଳେ ।

ସେଥରକ ଯେବେ ଚନ୍ଦ୍ରିକା ନେଲା,
ଯଶୋଦା ଆଗରେ ତା'ପୁଅ ଥିଲା ।
ଚାଲିଗଲୁ ତୁହି କେଣେ ;
ମୋ ବେଳକୁ ଯଦି ଏମିତି କରିବୁ
ହଟହଟା ହେବି ତେଣେ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।