
ଜୀବନ ଯୌବନ ନୁହେଁ ଚିରସ୍ଥାୟୀ
ତଥାପି କରୁଛି ଗର୍ବ
ବୁଝିପାରୁ ନାହିଁ ଏମୂଢ ମଣିଷ
ଗର୍ବ ହେବ ଦିନେ ଖର୍ବ ।
ରୂପ ଯୌବନରେ ମତୁଆଲା ହୋଇ
ଧରାକୁ ମଣୁଛି ସରା
ହଜିଯିବ ଦିନେ ପୃଥିବୀ ପୃଷ୍ଠରୁ
କେହି ଦେବେ ନାହିଁ ଧରା ।
ଆଜିର ଯୌବନ କାଲିକି ନଥିବ
ଗଣୁ ଅଛ ଯେତେ ଟଙ୍କା
ଯୌବନ ହଟିଲେ କିଏ ପଚାରିବ
କହିବେ ମୁଁ ଆଜି ଫାଙ୍କା ।
ମଣିଷ ଜନମ ପାଇଛନ୍ତି ଆମ୍ଭେ
ବଡ଼ ଭାଗ୍ଯର ଏ କଥା
ସମସ୍ତଙ୍କ ମୁଖେ ହସଫୁଟାଇବା
କରି ପ୍ରଣିପାତ ମଥା ।
ଗର୍ବ କରିଦିନେ ବଳୀ ମହାରାଜା
ପାତାଳ ପୁରକୁ ଗଲା
ଏଛାର ମଣିଷ ମୁଖେ ଲାଜ ନାହିଁ
ଦୈନିକ କରୁଛି ପାଲା ।
ଯୌବନ ରୂପକୁ ହଲାଇ ଦାଣ୍ଡରେ
କରେ କେତେ ଆମନ୍ତ୍ରଣ
ଆମନ୍ତ୍ରିତ ଦିନେ ନ ଚାହିଁବେ ମୁଖ
ସରିଲେ ସୁନ୍ଦର ପଣ ।
ଗର୍ବ ଅଟେ ସିନା ଅଢେଇ ଦିନିଆ
ତଥାପି ବୁଝୁନି କେହି
ଧର୍ମ ଅଟେ ସିନା ମହତ ପଣିଆ
ଯାହା ଗଢିଅଛି ବିହୀ ।
ଗର୍ବ ଅହଙ୍କାରେ ବଢୁଛି ସମାଜେ
ନିର୍ଦ୍ଦିଷ୍ଟ କେତେଙ୍କ ପାଇଁ
ଜୀବ ଗଲାବେଳେ ନଆସିବେ କେହି
ଗର୍ବୀଙ୍କ ପାଖକୁ ଧାଇଁ ।
ବେଳ ଥାଉ ଥାଉ ହୁଅ ସାବଧାନ
ସଭିଙ୍କୁ ଦିଅ ସମ୍ମାନ
ରୂପ ଯୌବନକୁ ଢାଙ୍କି ରଖିଦିଅ
ରଖ ହେ ଜାତିର ମାନ ।
ସର୍ବ ସମ୍ମୁଖରେ ହେବା ସମ୍ମାନିତ
କରିବେନି କେହି ପର
ସମ୍ମାନ ଦେଲେତ ସମ୍ମାନ ପାଇବା
ହୋଇ ସଭିଙ୍କ ନିଜର ।।
ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦
0 Comments
You can write now your valuable comments here. Off-topic comments may be removed or deleted without prior notice.