ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଦମ୍ପତ୍ତି ଦୁଇଜଣ । ଛୋଟ ସହରଟିରେ ଦୁହିଁଙ୍କ ବାହାଘରଟି ଥିଲା ବହୁ ଚର୍ଚ୍ଚିତ । କାରଣ ଦୁହିଁଙ୍କ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରିଥିଲେ ଦୁହେଁ । ଆଉ ଘର ପରିବାର ଠୁ ଦୂରରେ ରହି ଛୋଟ ସହରଟିର ଆବହାୱା ବଦଳେଇ ଦେଇଥାନ୍ତି ଦୁହେଁ । ଯେତେବେଳେ ଦେଖ ପ୍ରେମ ଚଢ଼େଇ ଦୁଇଟି ଭଳି ଫୁର୍ ଫୁର୍ ଉଡୁଥିଲେ କାଲି ଯାଏଁ । ପ୍ରଥମେ ପ୍ରଥମେ ଲୋକ ଏ ଯୋଡ଼ାଙ୍କୁ ଦେଖି ବିରକ୍ତ ହଉଥିଲେ । ତାଙ୍କର ଏମିତି ଖୁଲମଖୁଲା ପ୍ରେମ ପ୍ରଦର୍ଶନର ନିଜ ନିଜ ଛୁଆଙ୍କ ଉପରେ କୁପ୍ରଭାବ ପଡ଼ିବ ବୋଲି ଚିନ୍ତା କରୁଥିଲେ ଖୁବ୍ । ତେବେ ବହୁତ ଜଲଦି ଦେହସୁହା ହେଇଗଲା ଏ ଦୃଶ୍ୟ । ସାଧାରଣ ବୋଲି ଭାବିନେଲେ ଲୋକେ । ତେବେ ଆଜି ହଠାତ୍ ଏ ବିବାହ ବିଚ୍ଛେଦର ଖବର ଚକିତ କରିଥିଲା ସଭିଙ୍କୁ । ସମସ୍ତେ ଉତ୍ସୁକ ଜାଣିବାକୁ କାରଣ କଣ! ସବୁ ଲୋକ କାମ ଧନ୍ଦା ଛାଡ଼ି କୋର୍ଟ ରୁମ୍ ରେ ।

ଦୁହେଁ ସାମ୍ନା ସାମ୍ନି ଠିଆ ହେଇଛନ୍ତି କାଠ ଗଡ଼ାରେ । ଓକିଲ ଜେରା ଆରମ୍ଭ କଲେ । କାରଣ ଜାଣିବାକୁ ଚାହିଁଲେ ଏ ନିଷ୍ପତ୍ତିର । ଉତ୍ତର ଆସିଲା ପରସ୍ପର ସହ ଖୁସି ନାହାଁନ୍ତି । ସବୁବେଳେ ଝଗଡ଼ା ଲାଗି ରହୁଛି । 'କାରଣ କଣ' ପ୍ରଶ୍ନର ଉତ୍ତରରେ ଦୁହେଁ ଥତ ମତ। କିଛି ଠୋସ୍ କାରଣ କହି ପାରୁ ନାହାଁନ୍ତି । ତେବେ କିଛି ରେକର୍ଡିଂ ଶୁଣେଇବାକୁ ଅନୁମତି ଚାହିଁଲେ ଜଜ୍ ଙ୍କର । ଅନୁମତି ପାଇବା ପରେ ରେକର୍ଡିଂ ବାଜିଲା । ଦୁହିଁଙ୍କର ଫୋନ୍ ରେ ରେକର୍ଡିଂ ହେଇ ଥିଲା ଝଗଡ଼ା ସମୟର କଥୋପକଥନ । କୌଣସି ଏକ ସାଧାରଣ କଥାରୁ ଯୁକ୍ତିତର୍କ ଆରମ୍ଭ ହେଇ ଲମ୍ବି ଲମ୍ବି ଯାଇ କେମିତି ଭୟଙ୍କର ଝଗଡ଼ାର ରୂପ ନେଇଛି ।

ତେବେ ଗୋଟେ ବିଚିତ୍ର କଥା ଲକ୍ଷ୍ୟ କଲେ ସଭିଏଁ । ଯିଏ ରେକର୍ଡ କରିଛି, ତା'ର କଥାବାର୍ତ୍ତା ଖୁବ୍ ସଂଜମ । ଅନ୍ୟ ପକ୍ଷଟି ଦୋଷୀ ଜଣା ପଡ଼ୁଛି । କାରଣ ସ୍ୱାଭାବିକ । ପଛରେ ଏ ରେକର୍ଡିଂ ଯିଏ ଶୁଣିବ, ଅନ୍ୟ ଲୋକଟିକୁ ହିଁ ଖରାପ ଭାବିବା ଦରକାର । ସେଇ ଚେଷ୍ଟା କରିଛି ରେକର୍ଡିଂ କରିଥିବା ଲୋକଟି । ଦୁହିଙ୍କ ରେକର୍ଡିଂରୁ ସ୍ପଷ୍ଟ ଏ କଥାଟି। ତେବେ ସବୁ ରେକର୍ଡିଂ ଶୁଣିବା ପରେ ଯେତେବଳେ ଲୋକମାନେ ଭାବୁଥିଲେ ଏଗୁଡା ନିତାନ୍ତ ସାଧାରଣ କଥା କହି ଜଜ ସାହେବ କେସ୍ ଟିକୁ ଅଗ୍ରାହ୍ୟ କରିଦେବେ, ଠିକ୍ ସେତେବେଳେ ଜଜ ଦୁହିଁଙ୍କ ଛାଡ଼ପତ୍ର ମଞ୍ଜୁର କରିଦେଲେ । ଆଉ କାରଣରେ ଏଇଆ କହିଲେ ଯେ "ଦୁହିଁଙ୍କ ଭିତରେ ପ୍ରଥମରୁ ପ୍ରେମର କୌଣସି ଚିହ୍ନ ବର୍ଣ୍ଣ ହିଁ ନଥିଲା। ଦୁହେଁ କେବଳ ଛଳନା ହିଁ କରି ଆସୁଥିଲେ ପରସ୍ପର ସହ । ଆଉ ଆରମ୍ଭରୁ ହିଁ ସନ୍ଦିହାନ ଥିଲେ ନିଜ ସମ୍ପର୍କର ସ୍ଥାୟିତ୍ଵ ସମ୍ପର୍କରେ । ସେଇଥିପାଇଁ ତ ନିଜ ନିଜ ପାଇଁ ପ୍ରମାଣ ଯୋଗାଡି଼ବାରେ ଲାଗିଥିଲେ ରେକର୍ଡିଂ ରୂପରେ ।"

©Lipsa Panda 

ରଚନା : Lipsa Panda

ଠିକଣା : Smrutisiktaa, Hyderabad ଦୂରଭାଷ :