ଯକ୍ଷରାଜାର ଘର - କାବ୍ୟରୂପା ମଞ୍ଜୁବାଳା

0
ଚିତ୍ର ତୁମର ଦେଖିଲେ କୁମର
ଅନେକ ମନ୍ତ୍ର ଝରେ,
ଝରାପତର ବି ରହି ରହି ଝରେ
ବସି ଥିଲେ ତା ପାଶରେ।୧

ଆଖିରେ ତୁମର ଲକ୍ଷେ ଜୁଆର
ଗଭୀରତା ସାଗରର,
ହୃଦୟ ସ୍ବଚ୍ଛ ମାନସରୋବର
ଯକ୍ଷରାଜାର ଘର।୨
ଋତୁପତି ଯତି ହୋଇ ସ୍ଥିରମତି
ପୁଷ୍ପ ପରାଗ ଧରି,
ମନ୍ଦ ମହକ ଜଗାଏ ପୁଲକ
ତୁମ ପାଶେ ଅବତରି।୩

ନ ହୋଇ କୃପଣ ପ୍ରକୃତି ଅର୍ପଣ
କରେ ତା ଦିବ୍ୟ ରୂପ
ତୁମ ଆଶ୍ଲେଷେ ତା ରୂପ ଝଲସେ
ଜଳାଏ ବସନ୍ତ ଧୂପ।୪

ହସରେ ତୁମର କୋଟି ସୌଦାଗର
ହାରିଯିବେ ଶତରତ୍ନ,
ଶାନ୍ତ ମୁଦ୍ରାରେ ହିମ ଶିଖରେ
ତୁମେ ତପସ୍ବୀ ସମ । ୫

ଯମୁନା ଜଳର ସ୍ବଚ୍ଛତା ତୁମେ
ଆଖି ତୁମ ପ୍ରେମମଧୁ
ସେ ମଧୁ ଆହରି ହୁଏ ମୁଁ ତୁମରି
ତୁମେ ମୋର ପ୍ରୀତି ସିନ୍ଧୁ। ୬
କାବ୍ୟରୂପା ମଞ୍ଜୁବାଳା।ଓଁଶାନ୍ତିଃ




କାବ୍ୟରୂପା ମଞ୍ଜୁବାଳା,
ରସୁଲଗଡ, ଭୁବନେଶ୍ଵର

Post a Comment

0Comments
Post a Comment (0)