ଶ୍ରାବଣୀଗୋ ତୁମେ
ଫେରିଯିବା ପରେ
ହସେ କାଶତଣ୍ଡି ବନ
ତୋଫା ତୋଫା ଲାଗେ
ନୀଳ ଆକାଶଟା
ହସଇ ରୂପେଲି ଜହ୍ନ ।
ସେ ଜହ୍ନ ପିଠିରେ
ସଜାଇଛି ଶେଯ
ଲକ୍ଷେ ପାରିଜାତ ବୁଣି
କମଳ ଦେଶର
ମୁଁ ରାଜ କୁମାର
ତୁମେ ଶାମୁକା ଦ୍ବୀପର ରାଣୀ ।
ଆସ ଚାଲିଯିବା
ପ୍ରୀତିବେଳା ପରେ
ଛାପି ଆମ ପାଦ ଚିହ୍ନ
ତୋଫା ତୋଫା ଲାଗେ
ନୀଳ ଆକାଶଟା
ହସଇ ରୂପେଲି ଜହ୍ନ- - -
ଆମ ଏ କାହାଣୀ
ଇତିହାସ ପାଇଁ
ନରହୁ ଗୋ ହୋଇ ଲେଖା
ଜନମେ ଜନମେ
ତୁମସାଥେ ମୋର
ହେଉ ଥାଉ ପ୍ରିୟା ଦେଖା ।
ଏମିତି ଏପ୍ରେମ
ଥାଉ ଚିର ଦିନ
ସାଜି ପ୍ରୀତି ଫୁଲ ବନ
ତୋଫା ତୋଫା ଲାଗେ
ନୀଳ ଆକାଶଟା
ହସଇ ରୂପେଲି ଜହ୍ନ - - - - -
ବାଳକୃଷ୍ଣ ଜେନା
ଅଳଗୁମ, ସତ୍ୟବାଦୀ, ପୁରୀ
ହସେ କାଶତଣ୍ଡି - ବାଳକୃଷ୍ଣ ଜେନା
September 12, 2018
0
