କବିଟିଏ
ବେଳେ ବେଳେ
ବନ୍ଦୀ ହୋଇ ରହିଯାଏ
ଭାବନା ଭିତରେ
ଉତୁରି ପାରେନା
ତାର କବିତାର ସ୍ବର,
ଚେତନାକୁ ଦେଉଥାଏ
ବାରମ୍ବାର କବର ।
ତାକୁ ଆନମନା କରୁଥାଏ
ଜୀବନର ଝଡ
ଅଶାନ୍ତିର ଆର୍ତ୍ତ ଚିତ୍କାର।
ଅବସାଦ, ଅନ୍ତର୍ଦ୍ବନ୍ଦ
ତା ଭିତରେ ସେ
ଜୁଝୁଥାଏ ପ୍ରାଣ
ମନଲାଖି ଶବ୍ଦଟିଏ
ଉତୁରିବାକୁ
ପାଏନାହିଁ ଅବସର,
ବଦଳୁଥାଏ ଜୀବନର ଗତି
ଅଜବ ନୀତି
ଏ ସଂସାରର ।
ଅନେକ ଘାତ ପ୍ରତିଘାତ
ଜୀବନ ଯନ୍ତ୍ରଣା
କଣ୍ଠରୋଧ କରୁଥାଏ ତା'ର
ତଥାପି ଚେତନାର
କବର ଭିତରୁ
ସେ ପୁଣି ଉଠେ
ତୋଳେ ସୃଷ୍ଟିର
ସୁମହାନ ସ୍ଵର ।
ପ୍ରତି ମୁହୂର୍ତ୍ତରେ
ତାକୁ ଜୀବନ ଦେଉଥାଏ
ତା'ର କବିତ୍ଵ
ତା ବିନା
ଜୀବନ ଥାଇ ବି
ସେ ମୃତ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି କେନ୍ଦୁଝର ।
Content Category:
Submission Date: Nov 12, 2019