କୋଉ ଦିନଠାରୁ ଦେଖିନାହିଁ ତୋତେ 
କେଡ଼ୁଟେ ହେଲୁଣି 'ମାନି ' ,
ସନା କହୁଥିଲା କଲେଜ ଯାଉଛୁ
ସ୍କୁଟିରେ ଉଡ଼େଇ ଚୁନ୍ନି ।(ଘୋଷା)

ଫୁଲେଇ ହେଇକି କେତେଥର ମୋତେ
କହିଥିଲୁ ପିଲାବେଳେ ,
ସୁନାରି ଫୁଲର ଗୁଚ୍ଛ ଆଣୁଥିଲି 
ତୋ କଥାରେ ସାଙ୍ଗମେଳେ ।

ସେଇ ଫୁଲ ଧରି ଘୂରି ବୁଲୁଥିଲୁ
ସାଇଯାକ ସାଙ୍ଗ ଘେନି ।(୧)
କୋଉ ଦିନଠାରୁ ଦେଖିନାହିଁ ତୋତେ
କେଡ଼ୁଟେ ହେଲୁଣି 'ମାନି'.....

ସେତେବେଳେ ଥିଲୁ ନାକ କାନ୍ଦୁରି ତୁ
ଏବେ ଦେଲୁଣି କି ଛାଡ଼ି ,
ଫଗୁଣ ଆସିଲେ ଆମ୍ବ ଝାଡ଼ୁଥିଲୁ
ଭଗିଆ ଗଛରେ ଚଢ଼ି ।

ଚିଡ଼େଇକି କିଛି କହିଦେଲେ ତୋତେ
ଭିଡୁଥିଲୁ ମାଆ କାନି ।(୨)
କୋଉ ଦିନଠାରୁ ଦେଖିନାହିଁ ତୋତେ
କେଡ଼ୁଟେ ହେଲୁଣି 'ମାନି'.....

ସନା କହୁଥିଲା କଲେଜ ଯାଉଛୁ
ସ୍କୁଟିରେ ଉଡ଼େଇ ଚୁନ୍ନି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।