ତୁମ ସାଥେ ଟିକେ ଖେଳିବା ପାଇଁ ମୁଁ
କୈଳାସୁ ଆସିଛି ଧାଇଁ ,
କେତେ କଉତୁକ କରୁଛ ଗୋପରେ
ସେଠି ଏତେ ମଜା କାଇଁ !!

ମାଆ କହୁଥିଲା-"ଯାଆନାରେ ଧନ
ଏତେ ଦୂର ତୁହି ଏକା ,
କିଛି ଦିନ ତଳେ ପିତା ଯାଇଥିଲେ
କରିଛନ୍ତି ତାଙ୍କୁ ଦେଖା।"

ଏକା ଆସି ପିତା ଭେଟିଲେ ତୁମକୁ
ସାଥେ ଆଣିଲେନି ମୋତେ ,
ତୁଚ୍ଛାରେ ଯା' ଖାଲି ଭଣ୍ଡି କହୁଛନ୍ତି
'ମୋ ଗଣେଶ ବୁଦ୍ଧି କେତେ !!'

ଭାଇ ଯାଇଛନ୍ତି ମୟୂର ଚଢ଼ିକି
ମୁହିଁ ବୁଲୁଥିଲି ଏକା ,
ସେଇଠୁ ନିରେଖି ଚାହିଁଲି ତଳକୁ
ମିଳିଗଲା ତୁମ ଦେଖା ।

ଗୋକୁଳରେ ତୁମେ ଲୀଳା କରୁଅଛ
ସଖା ସହୋଦର ମେଳେ ,
ତୁମ ସାଥେ ଆଜି କୌତୁକ କରିବି
ଆନନ୍ଦରେ ମହୀତଳେ ।

ନିଅ ତୁମେ ଏବେ ମୋଦକକୁ ଖାଅ
ମୁଁ ଭୁଞ୍ଜିବି ଦୁଧ-ସର ,
ଭାଇଙ୍କ ସାଙ୍ଗରେ ମିଶି ଦେଖାଇବ
ମୋତେ ସାରା ଗୋପପୁର ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।