କେଉଁ ରଙ୍ଗଦେଇ ଆଙ୍କିବି ଛବି ,
ସେତେବେଳୁ ଜମା ପାରୁନି ଭାବି ।
କାଉ ହେବ ସିନା କଳା....
ଶୁଆର ଦେହଟି ଶାଗୁଆ ହୋଇବ
ଥଣ୍ଟରେ ତା' ନାଲି ବୋଳା ।

ସକାଳ ସୁରୁଜ ରଙ୍ଗଟି ନାଲିଆ
ଆକାଶଟା ଫିକା ନେଳି ,
ମନ୍ଦାର ଫୁଲଟି ନାଲି ଟହ ଟହ
ଆମ ବାଛୁରୀଟି କାଳି ।

ପରଜାପତିଟି ଛିଟଛିଟ ରଙ୍ଗ
ହରିଣ ଯେ ଟିପିଟିପି ,
ପୁଷି ବିଲେଇର ରଙ୍ଗ କ'ଣ ଦେବି
ଧଳା ଅବା ଛାପି ଛାପି !!

କଦଳୀ କାନ୍ଧିଟା ଶାଗୁଆ ହୋଇବ
ପାଚିଗଲେ ହଳଦିଆ ,
ଡାଳିମ୍ବ ଫଳରେ କେଉଁ ରଙ୍ଗ ଦେବି
ନାରଙ୍ଗୀ ନା ପାଉଁଶିଆ !!

ହାଟରୁ ଏ ରଙ୍ଗ ଆଣିକି ଦାଦା ,
ଧରେଇକି ମୋତେ କହିଲେ ସିଧା ।
"ଲିଟୁ ନେ ଆଙ୍କିବୁ ଛବି....."
ଏବେ ଠାରୁ ସିନା ଛବି ଆଙ୍କିଲେ ମୁଁ
ବଡ଼ ଚିତ୍ରକର ହେବି ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ