ହେ କୃଷ୍ଣ
ଆଜି ଏ ଶୁଭ ଦିନର ମଧୁର ଲଗନେ
ଧରାବତରଣ ତୁମ ଦେବକୀ ଉଦରେ
କଂସ କାରାଗାରେ,
ନାଶିବାକୁ ଦୁଷ୍ଟ ଦୁରାଚାରୀ
ପାପ ଭାରାକ୍ରାନ୍ତ ଅବନୀ ମଣ୍ଡଳେ
କରିବାକୁ ରକ୍ଷା ସାଧୁସନ୍ଥ ଜନେ ।

ହେ କୃଷ୍ଣ
ଅବତାରେ ତୁମ ନାଶିଥିଲ କଂସ କେଶା
ଅଘା ବକାସୁର ଆଦି ଦାନବ ସକଳ ।
ସୃଜି ମାୟା ମହା ଯୁଦ୍ଧ ମହାଭାରତର
କୁରୁପାଣ୍ଡବ ମଧ୍ୟରେ,
ପ୍ରକୃତରେ ସବୁତ ତୁମରି ଲୀଳା
ଆହେ ଲୀଳାମୟ
ସାକ୍ଷୀ ଥିଲା ଭୀମପୁତ୍ର
ଦେଖିବାକୁ ତୁମ ମାୟା ଖେଳ ।

ହେ କୃଷ୍ଣ
ସୁନ୍ଦର ସୃଷ୍ଟି ତୁମର ହୁଏ ଛାରଖାର,
ଗୋପ ବୃନ୍ଦାବନ ମଥୁରା ମାଧୂର୍ଯ୍ଯ
ହରାଇଛି ଶିରି ,
ଅତ୍ୟାଚାରୀ କଂସ ମାନଙ୍କ ପ୍ରଭାବରେ
ପ୍ରକୃତି ଆଜି କଳୁଷିତ
ଗୋପୀମାନେ ଅସୁରକ୍ଷିତ
ଅର୍ଥଲୋଭୀ କାଳୀୟମାନଙ୍କ କଳକାରଖାନା
ବର୍ଜିତ ବିଷରେ
ଯମୁନା ଜଳରେ ଆଜି ବିଷାକ୍ତ ଲହରୀ ।

ହେ କୃଷ୍ଣ
ମୋହନ ବଂଶୀ ସହ
ହସ୍ତେ ଧରି ଚକ୍ର ସୁଦର୍ଶନ,
ନକର ଉଚ୍ଛୁର ଆସ ଅବତରୀ
ସ୍ନେହ, ପ୍ରେମ,ସଦ୍ ଭାବର ମଧୁର ମୂର୍ଚ୍ଛନା
ପୁଣି ଥରେ ଆଣୁ ଶାନ୍ତି ପ୍ରୀତି
ଛେଦିତ ହୁଅନ୍ତୁ ଯେତେ ଅତ୍ୟାଚାରୀ
ହେଉ ନାଶ ଆସୁରିକ ଶକ୍ତି
ହସି ଉଠୁ ପୁଣି ଧରା ଗୋପ ବୃନ୍ଦାବନ ।

Writer's Details: ଘନଶ୍ୟାମ ସାହୁ ,ବଇଣ୍ଡା ,ଅନୁଗୋଳ
ମୋବାଇଲ ନମ୍ବର -- ୭୯୭୮୦୫୭୬୯୫
Content Category:
Submission Date: Nov 12, 2019