ଏକ ନୀରବ ସଂନ୍ଧ୍ୟା ର ଚିତ୍ର
      କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
       ---------- -------------------- ----------
ସଂନ୍ଧ୍ୟା ତାରା ଫୁଟିଲାଣି ଆକାଶ ମଣ୍ଡଳେ
ଡାଆଣିଆ ଖରା ରଙ୍ଗ ସ୍ଵର୍ଣ୍ଣ କିରଣ ରେ  ।।
ଗୋଧୂଳି ଲଗ୍ନ କନକ ରେଣୁ ବୁଣିବୁଣି
ରବି ଦିଗାଙ୍ଗୀ କୋଳରେ ବୁଡି  ତ ଗଲେଣି ।।
କୁଜନେ କୁଜନ ଶବ୍ଦେ ଆନନ୍ଦେ ମହୀରେ
ନାଚି ନାଚି ସଂଞ୍ଜ ଆସେ ସଂଞ୍ଜବତୀ ଧାରେ
ସଂନ୍ଧ୍ୟା ତାରା ଫୁଟିଲାଣି…  ।।
ନିଶାପତି କୋଟି ରତୀପତି ରୂପନେଇ
ଉଦୟ ଶୂନ୍ୟ ଦେଶୁ କି ଝରେ ରୂପା ନଈ  ।।
ହସି ହସି ସରସୀ ରେ ଜହ୍ନ ପ୍ରତିବିମ୍ବ
ଦେଖି କୁମୁଦ ବିଭୋର କୁମୁଦ ବାନ୍ଧବ  ।।
ବହଇ ମନ୍ଦ ହିଲ୍ଲୋଳ ଧୀର ମନ୍ଦ ଗତି
ସେ ଗତି ଶୁଣାଏ ସଂଞ୍ଜ ଆଳତୀ ର ଘଣ୍ଟି  ।।
ଢଳ ଢଳ ସୁନିର୍ମଳ ସରସୀ ର ଜଳେ
ଢଳି ଢଳି ବିଚିମାଳେ କୁମୁଦିନୀ ଖଳେ
ସଂନ୍ଧ୍ୟା ତାରା ଫୁଟିଲାଣି…  ।।
ଚକୁଆ ଚକୋଇ ରବ ବିରହ ବଇଁଶୀ
ଅଦୂରୁ ଶୁଭଇ ସଂଞ୍ଜ ହେଲାଣି ତ ଆସି   ।।
ଶିବାରବେ କିଆମାଳ ଗୋହିରୀ ଭିତରୁ
ପେଚକ ରାବଇ ବୁଲେ ବାଦୁଡ଼ି ବସାରୁ   ।।
ଶାଳିଆ ପତନି,ଓଧ ଚାଳେ ନଦୀକୂଳେ
ଚେମେଣୀ ଚଢ଼େଇ ମଶା ଖାଏ ସଂଞ୍ଜ ବେଳେ
ସଂନ୍ଧ୍ୟା ତାରା ଫୁଟିଲାଣି…  ।।
ଧୀରେ ଧୀରେ ମାଡି ଆସେ ନିଶା କାଳରାତ୍ରି
ଅଚେତନ ରାତି ତନ୍ଦ୍ରା ମହମୋଦେ ମାତି ।।
ସଂଞ୍ଜରୁ ରାତି ହୋଇଲା ପ୍ରଫୁଲ୍ଲ ମନରେ
ତୁମ ନାମ ଉଚ୍ଚାରିତ ହେଉଛି ଠାକୁରେ ।।, ସଂନ୍ଧ୍ୟା ତାରା...।।