##### *ଧନ୍ୟ ହେକାର୍ତ୍ତିକ ମାସ*##
🌷🌷🌷🌷🌷🌷🌷🌷
କାର୍ତ୍ତିକ ମାସର କାକର ସମୀର
ଶୀତୁଆ ଶୀତୁଆ ଲାଗେ
ପ୍ରାତଃ ସ୍ନାନ ସାରି ଦର୍ଶନେ ଶ୍ରୀହରି
ତୁଳସୀ ପାଦୁକ ମାଗେ ॥
ମଙ୍ଗଳ ଅାଳତୀ ମନେ ଭରେ ଶାନ୍ତି
ମଙ୍ଗଳ ମନାସି ଜନେ
ଦୀପଟିଏ ଜାଳି ଅର୍ପି ପୂଜାଥାଳି
ଚିତ୍ତ ଧାଏଁ ପୁଣ୍ୟ ଧନେ ॥
ପୁରାଣ ଶ୍ରବଣେ ଚିତା ଚଇତନେ
ପୂର୍ଣ୍ଣବ୍ରହ୍ମମୟ ଧରା
ହବିଷ ଅନ୍ନରେ ପୂତ ଭୋଜନରେ
ଦିନ ବିତେ ମାସ ସାରା ॥
ହବିଷ୍ୟାଳିଙ୍କର ଗୀତ ସୁମଧୁର
ଚଉଁରା ମୂଳରୁ ଶୁଭେ
ବୃନ୍ଦାବତୀ ପାଶେ ଏ କାର୍ତ୍ତିକ ମାସେ
ଧର୍ମ ସାଉଁଣ୍ଟନ୍ତି ସର୍ବେ ॥
କାର୍ତ୍ତିକ ବ୍ରତରେ ବିଭୋର ମର୍ତ୍ତ୍ୟରେ
ଉତ୍କଳର ପୁରପଲ୍ଲୀ
ଏ ମର୍ତ୍ତ୍ୟ ସତେକି ସ୍ୱର୍ଗ ପାଲଟିଛି
ଅଦିନେ ଫୁଟିଛି ମଲ୍ଲୀ ॥
ରାଇ ଦାମୋଦର ବେଶ କି ସୁନ୍ଦର
ଏ ବେଶରେ ଜଗନ୍ନାଥ
ଶୋଭା ପାଉଛନ୍ତି ଦର୍ଶନ ଦିଅନ୍ତି
ଭକ୍ତିରେ ନାଚେ ଜଗତ ॥
ଆକାଶକୁ ଉଠେ ଆକାଶ ଦୀପଟେ
ନିତି ସଂଜ ଲଗନରେ
ନାମ ସଂକୀର୍ତ୍ତନ ଭାସେ ଘନଘନ
ମେଘମୁକ୍ତ ଗଗନରେ ॥
ଦୀପାବଳୀ ଦିଶେ ଆଲୋକ ପର୍ବ ସେ
କାର୍ତ୍ତିକ ଅମାବାସ୍ୟାରେ
ଆଲୋକର ଜୟ ହଟେ ସର୍ବ ଭୟ
ତମସା ଭରା ସଂସାରେ ॥
ବକପଞ୍ଚମୀର ପଞ୍ଚଦିନେ ନର
ପଞ୍ଚତୀର୍ଥ ଫଳ ଲଭେ
ଏଇ ଯେ କାର୍ତ୍ତିକେ ବଡ ଓଷା ଡାକେ
ଆସ ଶ୍ରୀମନ୍ଦିରେ ଲବେ ॥
ବୋଇତ ବନ୍ଦାଣ ନାଟଯାତ ଦିନ
ଧରି ଆସେ ଏଇ ମାସ
ସାଧବ ପୁଅର ବାଣିଜ୍ୟ ବେପାର
ସ୍ମୃତି ଭରି ଦିଏ ହସ ॥
ଗୁଆ,ପାନ ଥୋଇ ଆ କା ମା ବଇ
ଗୀତ ଗାଇ ପୁନେଇରେ
କଦଳୀ ପଟୁଆ ଡଙ୍ଗା କରି ଠିଆ
ଭସେଇ ଦେ ନଈ ତୀରେ ॥
କାର୍ତ୍ତିକ ପୁନେଇ ବୁଡକୁ ପକେଇ
ପାପତାପ ଯାଉ ସରି
ରଙ୍କ କୋଟିନିଧି ଲଭୁ ଅଷ୍ଟସିଦ୍ଧି
ଦିଅଁ ଦରଶନ କରି ॥
ଧନ୍ୟ ହେ କାର୍ତ୍ତିକ ପୁଣ୍ୟର ମହକ
ନେସି ଦେଲ ମନପ୍ରାଣେ
ଝୁରେ ଧରା,ଝରୁ ସତ୍ୟ,ଶାନ୍ତି ଭରୁ
ପ୍ରତି ମାସ ଅାଗମନେ ॥

ଶରତ ଚନ୍ଦ୍ର ଜାଲି
ପଥରା,ଖଲ୍ଲିକୋଟ,ଗଂଜାମ


ରଚନା : sarat chandra jalli

ଠିକଣା : pathara ଦୂରଭାଷ : 7873917651