ଓଗାଳିବା ଆସ ବାଟ
               ବି.ନିରୁପମା

ହେଇ ଦେଖ ଏବେ ଯାଉଛି କହ୍ନେଇ
ଓଗାଳିବା ଆସ ବାଟ ,
ପଚାରିବା ତାକୁ ଯମୁନା କୂଳରେ
ଲଗାଉଛି କିଆଁ ନାଟ !!

ଯଶୋଦା ରାଣୀଙ୍କୁ କହିଲେ ତ ଯାଇ
ମଣୁ ନାହାଁନ୍ତି ତା' ସତ ,
ତେଣୁ ମୁହଁ ତା'ର ବଢ଼ି ଯାଉଅଛି
ଜନେ ଦେଉଛନ୍ତି ମତ ।

ଲୁଚି ଛପି ନିତି ଯମୁନା କୂଳରେ
କରୁଅଛି ଆସି ଦେଖା ,
କଳସୀରେ ନୀର ଆଣିଲା ବେଳକୁ
ଭାଙ୍ଗୁଅଛି ମାରି ଟେକା ।

କାହାଘରେ ପଶି ସଖାଙ୍କ ଗହଣେ
କରୁଅଛି ନିତି ଚୋରି ,
ମୁରବୀ ସାଜିକି ବାଣ୍ଟି ଦେଉଅଛି
ଦୁଧ,ଦହି ମନ ଭରି ।

ଶିକାରୁ ଆଟିକା ଭାଙ୍ଗି ଗଡ଼ାଉଛି
ଦେଖିଦେଲେ ଯାଏ ରୁଷି ,
ହେଇ କିସ କଲୁ କହିଲା ବେଳକୁ
ପଳାଉଛି ସେଠୁ ଖସି ।

ଆଜି ଏତେଦିନେ ପଡ଼ିଛି ହାବୁଡ଼େ
ଦେବାନାହିଁ ଜମା ଛାଡ଼ି ,
ନନ୍ଦ ରାଜା ଆଗେ ଗୁହାରି କରିବା
ନେଇଯିବା ଚାଲ ଭିଡ଼ି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।