🌹🌹 ମାଟି ଓ ବର୍ଷା (ସପ୍ତମ ପାଠ)🌹🌹
**********************************
(ମାଟି ବୀର କୃଷକ ଧର୍ମାତ୍ମାଙ୍କ ଆହାର.......)
*********************************

ମାଣ୍ଡିଆ ଚକୁଳି ଗୁଡ଼ ଢାଳି ଦଳି
କୃଷକ ପ୍ରାତଃ ଭୋଜନ,
ମାଟି ସଙ୍ଗେ ମାତି କାଦୁଅ ଚକଟି
ଫସଲ ଯତନେ ଧ୍ଯାନ ।୧।

କଳମ୍ବ କୋଶଳା ଶୁନୁଶୁନିଆ ସେ
ସଜନା ରାଇତା ଭଜା,
ତୋତଡ଼ି ଆମ୍ବିଳୀ ବୋଇତାଳୁ ଶାଗ
କାଞ୍ଜୀ ତୋରାଣୀ କି ମଜା ।୨।

ଆମ୍ବୁଲ ଆଚାର ଆହାର ମଧୁର
କୃଷକ ଉଦରେ ରାସ,
ଅମୃତଭଣ୍ଡାକୁ ବାରିପୋଟଲରେ
ସନ୍ତୁଳା ତୁଣେ ଗୋରସ ।୩।

ବିରି ପିଠା ମଜା ଜହ୍ନି ପୋଡ଼ା ଭଜା
ଲଙ୍କା ଲୁଣକୁ ରଗଡ଼ା ,
ଲୁଣି ଶୁଖୁଆକୁ ତେନ୍ତୁଳି ଦି'ଫାଳ
କୃଷକ ଆହାର ଗଢ଼ା ।୪।

ନାହିଁ ଧନେ ଧ୍ଯାନ ସେବା ଜନପ୍ରାଣେ
ମାଟି କୋଳୁ ମାଟି ବୋଳି,
ନସର ଫସର କାଦବାଲି ସାର
ଝାଟି ମାଟି ଦେହେ କେଳି ।୫।

ମାଟି ତୁଲେ ମାଟି ବର୍ଷା ଶୀତେ ଲୋଟି
ମାଧବୀ କୋଳେ ହରଷି,
ମାଟି ଘଟେ ସୁନା ଗଢ଼ଇ କୃଷକ
ଯୌବନ ଆସଇ ହସି ।୬।

ପରିଶ୍ରମୀ ଶ୍ରମେ ସରମେ ଶୃଙ୍ଗ ସେ
ପରିକ୍ରମା ବହୁ ଉଚ୍ଚ,
କୃଷକ ଶରୀର ଖରା-ବର୍ଷା-ଶୀତ
ଉପାଦାନେ ଗଢ଼ା ସ୍ବଚ୍ଛ ।୭।

ମାଟି ମାଆ ଗର୍ଭୁ ଜନ୍ମି ମାଟିସମ୍ଭୂ
କୃଷକ ନାମେ ନାମିତ,
ଲଙ୍ଗଳ ଆୟୁଦ୍ଧେ ଯୁଦ୍ଧେ ପୁଣ୍ୟ ଯୁଦ୍ଧ
ମାଟି ବୀର ଚାଷୀ ପୁତ ।୮।
**********************************
ଭଜରାମ ସେଠୀ, ନିରାଳ, ଗଂଜାମ, ଓଡ଼ିଶା
୯୫୬୬୮୭୬୫୦୪


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା,ଗଞ୍ଜାମ ଦୂରଭାଷ : 9566876504