*********************************
ଜିଆ ଚାଷ ବାସ ଉର୍ବୀ ମାଟି ରାସ
ହରଷେ ଭରେ ସେ ରସ,
କ୍ଷୁଦ୍ର ଦେହୁ ଦିଏ ସାର ବସ୍ତୁ ପ୍ରାୟ
କୃଷକ ଜାତିକୁ ହସ ।୧।
ମାଟି ଦେହୁ ଜନ୍ମି ମାଟି ମାଆ କୋଳେ
ମକରନ୍ଦ କରେ ପାନ,
ମାଟି ବକ୍ଷେ ମରି ମର ଶରୀରକୁ
ମରତେ ସାରରେ ଦାନ ।୨।
କ୍ଷୁଦ୍ର ଜୀବ ହୋଇ ଅମାର ଅମୂଲ୍ୟ
ଅମର ଜୀବନ ସେହି,
ମଣିଷ ମତ୍ଯେ କି ଗରବ କରଇ
ଜିଆ ସଙ୍ଗେ ସମ ନୋହି ।୩।
କୃଷକ ସଙ୍ଗାତ ଜିଆ ପ୍ରାଣ ମିତ
ଆହାର ପ୍ରଦାନକାରୀ,
ପ୍ରକୃତି ସୌନ୍ଦର୍ଯ୍ୟେ ପ୍ରକୃତ ସେବକ
ଦୁହେଁ ସଂରକ୍ଷଣକାରୀ ।୪।
ହଳ ବଳଦରେ ସଅଳ ସକାଳେ
ହଳିଆ ସ୍ବରରେ ଗୀତ,
ବଳରାମ ରାମ ସ୍ମୃତି ତନୁ ମନେ
ହୁଳହୁଳୀ କୃଷିମାତ ।୫।
କେରା କେରା ଚାରା ସିଆର ସେ ଧାରା
ସବୁଜ ସୁନ୍ଦର କ୍ଷେତ,
ବର୍ଷା ସଙ୍ଗେ ରସା ହେଲେ ବେଶଭୂଷା
ଉଡ଼େ ଚାଷୀକୁଳ ନେତ ।୬।
ଚାଷୀ ଚାଷ କ୍ଷେତେ ଚଷଇ ଆନନ୍ଦେ
ତଳି ପୋତି ମାଟି ହୃଦେ,
ଶସ୍ଯ ଉତ୍ପାଦନ ସକାଶେ ଆକାଶେ
ଜପ ତପ କରେ ସଞ୍ଜେ ।୭।
ଗୋଧୂଳି ଲଗନେ ସଞ୍ଜବତୀ ଜାଳି
ତୁଳସୀ ପୂଜଇ ବଧୂ,
ଚାଷ କିଆରୀରେ ସୁନା ଫଳି ଉଠୁ
ନଭ କୋଳେ ଯେହ୍ନେ ବିଧୁ ।୮।
**********************************
ଭଜରାମ ସେଠୀ, ନିରାଳ, ଗଂଜାମ, ଓଡ଼ିଶା
ରଚନା : ଭଜରାମ ସେଠୀ
ଠିକଣା : ନିରାଳ, ଆସିକା ,ଗଞ୍ଜାମ ଦୂରଭାଷ : 9566876504
Sent via Google Forms Email