କୃଷ୍ଣଚୂଡ଼ା ମଲ୍ଲି ମାଳତୀ ପଳାଶ

ଘେରା ମୋ ଗାଆଁ ଉଦ୍ୟାନ

ଭାରି ମନଲୋଭା ଦୀପ୍ତିମୟୀ କାନ୍ତି

ମୋ ଗାଆଁ ତମାଳ ବନ।। 1

ସେଠି ବର ଲିମ୍ବ ଡାଳ ନଇଁ ପଡ଼େ

ମାଟି ଉପରକୁ କେତେ

ତାହାରି ତଳେ ଅଣନିଶ୍ଵାସୀ ହୋଇ

ଲୁଚି ଯାଏ ରାସ୍ତା ସତେ।। 2

ଅବା ଅନ୍ଧକାର ଚକ୍ରାଲୋକର

ତାଡ଼ନାରେ ଭୟ କାତର

ଧୂଳି ଧୂସରିତ ଗ୍ରାମ୍ୟ ରାସ୍ତା ଯାଏ

ଲୁଚିଣ ସେ ତ ସତ୍ବର।। 3

ମୋ ଗାଆଁରେ ଥିବା ମଶାଣି ପଦରେ

ଚିରଗୁଣୀ ବସା କରେ

ରଡ଼ ରଡ଼ ନିଆଁ ହାଡ଼ର ଚର୍ବଣ

ମନରେ ଭିତ୍ତି ସଂଚାରେ।। 4

ସେଇଠି ବି ଗୃଧ୍ର ପକ୍ଷୀ ସାମ୍ରାଜ୍ୟର

ଅତି ବିଭତ୍ସ ଚିତ୍କାର

ଚାତକ ପକ୍ଷୀର ଦରଦୀ କାକଳି

ହୃଦଶିକ୍ତ ଲୋତକର ।।5

ମେଘର ରାଇଜେ ବୁଣି ହୋଇପଡ଼େ

ଶୋରିଷ ଫୁଲିଆ ମୁରୁଜ

ସତେକି ସୁନ୍ଦର ମନମୁଗ୍ଧକର

ସୁନେଲି କିରଣ ସୂରୁଜ।। 6

ରାତ୍ରିର ଆକାଶେ ବଉଦ ମେଳରେ

ଜହ୍ନି ଫୁଲିଆଟି ଜ୍ୟୋସ୍ନା

ଯୁଇ ଯାଇ ହେନା ଗଙ୍ଗ ଶିଉଳିର

ମହ ମହ ହୁଏ ବାସ୍ନା।। 7

ନୀଳ ଗଗନର ଶ୍ରେଷ୍ଠ ଅତିଥୀ ଯେ

ଚାନ୍ଦକୁ ଖୋଜେ ବାଦଲ

ଯେଉଁ ଜହ୍ନ ରାତି ପରଦା ତଳେ ଯେ

ଫୁଲି ଉଠେ ଶସ୍ୟମାଳ ।।8

ଚାଳ ଘର ଦେଇ ତେରଛା ଆଲୁଅ

ବିଛୁରି ପଡ଼େଟି ଦାଣ୍ଡ

ପଥର ସିଆଁଟି ଆମ ନଦୀ ତୁଠ

ଯେଉଁଠି ସମସ୍ତେ ରୁଣ୍ଡ।। 9

ଯାନି ଯାତ୍ରା ବେଳେ ମହୋତ୍ସବ ଭାରି

ବୁଢ଼ାଠୁଁ ଭେଣ୍ଡିଆ ଯାଏ

ସବୁ ହୁଏ ମେଳ ମନୁ କରି ଦୂର

ରାଗ ରୁଷା ଯେତେ ଥାଏ।। 10

ମୋ ଗାଆଁ ତୁଲେ କି କେଉଁ ରାଇଜର

ବେଶ ଭୂଷା ପରିପାଟି

ଏଡିକି ସୁନ୍ଦର କାହିଁ ମୋ ନଜର

ପାଉ ନାହିଁ କେଉଁଠିକି।। 11

ସା ରାଣୀପଡା, ପୋ - ତରାଗୋ, 

ଭାୟା - ବନ୍ତ, ଜି - ଭଦ୍ରକ, ଓଡିଶା