• କୁମାର ପୂର୍ଣ୍ଣିମା ଗୀତ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି ,ଖୋର୍ଦ୍ଧା .
• ---------- --- ୧୩ . ୧୦ . ୨୦୧୯ --- ----------
• ଶରତ ର ଶେଷ ହେମନ୍ତ ପ୍ରବେଶ,, କୁଆଁର ପୁନେଇଁ ରାତି
• କଇଁଫୁଲିଆ ଏ ଜହ୍ନ ଆଲୁଅରେ କୁଆଁରୀ ଖେଳନ୍ତି ପୁଚି
• ଅଦୂରରୁ ଶୁଭେ ଗୀତ ର ଲହରୀ
• ମନ ଖୋଜୁଥାଏ ସାଥୀ ,, କୁଆଁର ପୁନେଇଁ ରାତି ।।

• ଗୀତଶେଷେ ଫୁଲ ବଉଳବେଣୀ ର ଘୋଷା ମନ ମୋହିନିଏ
• ଆନମନା ମନ ବିଭୋରେ ସେଦିଗେ ଆପେ ଟାଣି ହୋଇ ଯାଏ
• ଦେହ ସିନା ଥାଏ ଏପଟେ, ସେପଟେ
• ସ୍ପନ୍ଦିତ ହୁଅଇ ଛାତି ,, କୁଆଁର ପୁନେଇଁ ରାତି ।।

• ତୁଳସୀ ଚଉରା ମୂଳରେ ଜାଗର ଜାଳି ବସି ଅଛି ଯିଏ
• ଶଶି ମୁଖୀ ଶଶି ବନ୍ଦାପନା କରି ମନଭୁଲା କଥା କହେ
• ତା ପାଇଁ ଏ ମନ ହେଉଛି ଉଚ୍ଛନ୍ନ
• ସେ ପ୍ରୀୟବତୀ ମୋର ସାଥୀ ,, କୁଆଁର ପୁନେଇଁ ରାତି ।।

• ବିନ୍ଦୁ ବିନ୍ଦୁ ମାଇ କାକର ଟୋପା ରେ ଶୀତେଇ ଉଠଇ ଦେହ
• ନୂତନ ବସନେ ନାନା ଆଭରଣେ ଉଜ୍ଵଳି ଉଠେ ତୋ ମୁହଁ
• ଆସ ଆସ ସହୀ ରଙ୍କର ରତନ
• ଆନନ୍ଦେ ଖେଳିବା ମିଶି ,, କୁଆଁର ପୁନେଇଁ ରାତି ।।

• ଉଷୁମ ପରଶ ମନର ମଣିଷ ଶ୍ରଦ୍ଧା,ସ୍ନେହ,ପ୍ରେମ, ପ୍ରୀତି
• ସବୁକୁ ଭରଷା କରି ସିନା ପ୍ରାଣ ଧରି ରଖିଛି ଧରିତ୍ରୀ
• ସେହି ଭରଷାରେ ସଂସାରେ ସହୀ ରେ
• ଆଶା ତୋ ଅମୀୟ ପ୍ରୀତି ,, କୁଆଁର ପୁନେଇଁ ରାତି ।।

• ପୂଜା ଗଜଲକ୍ଷ୍ମୀ, ମୋ ଘରର ଲକ୍ଷ୍ମୀ ବିନା ପ୍ରେମେ କି ସଂସାର
• ଆଜି ସେହିଲଗ୍ନ ପ୍ରେମର ବନ୍ଧନ' ରାତି, ଶେଷ ଶରତର
• ତୋ ମନ ମନ୍ଦିର ପଥର ଦିଅଁ ମୁଁ
• ଦିଅ ଦେବୀ ଦିବ୍ୟ ଶକ୍ତି ,, କୁଆଁର ପୁନେଇଁ ରାତି ।।



ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି , ଖୋର୍ଦ୍ଧା ଦୂରଭାଷ :