ଆଜି କାହିଁକି କେଜାଣି ସୁଚେତାର ପୁଣି ହାତ ଥରୁଛି , ଅଫିସ କମ୍ପୁଟର୍ ର ପାସୱାର୍ଡ 4/5 ଥର ଭୁଲ ମାରିଲା ପରେ ମନେ ପଡୁଛି ଠିକ୍ ଟା , ଇମେଲର ପାସୱାର୍ଡ ଚାରି ଥରରେ ଠିକ୍ ରେ ମାରି ପାରିଲା , ଷ୍ଟୋରୀମିରର ପାସୱାର୍ଡ ଜାଗାରେ ଇମେଲର ପାସୱାର୍ଡ ଲଗାତାର 7/8 ଥର ମାରିବା ପରେ ଠିକ୍ ଟା ମନେ ପଡ଼ିଲା । ନୀତି ତ ସେ ଏସବୁ ଚେକ୍ କରିବାକୁ ଖୋଲେ କାହିଁ କେବେ ତ ଭୁଲେନି ଆଜି କାହିଁକି ଭୁଲୁଚି ସେ ବୁଝି ପାରୁନି । ଏତେ ଅନ୍ୟମନସ୍କ କାହିଁକି ସେ ଆଜି କିଛି ବୁଝା ପଡୁନି । ପୁଣି ବାହାଘର ପ୍ରସ୍ତାବ ଆସିଛି ବୋଧେ ତା ପାଇଁ । ଏବେ ଏବେ ତ ସେ ଠିକ୍ ରେ ବଞ୍ଚିବା ଶିଖିଲା । ନିଜର ପସନ୍ଦ ଅପସନ୍ଦ, ଘର ଲୋକଙ୍କ ପସନ୍ଦ , ବନ୍ଧୁ ବାନ୍ଧବଙ୍କର ଖୁସି ସବୁ ଭିତରେ ସେ ଆଜି ଶ୍ଵାସ ରୁଦ୍ଧ ହେଇଯାଉଛି । ବୁଝି ପାରୁନି କ'ଣ ନିଷ୍ପତ୍ତି ନବ । ଘର ଲୋକଙ୍କ ଉପରେ ଛାଡ଼ିଲେ ସେମାନେ ପୁଣି ଥରେ ସୁଚେତା ଉପରକୁ ଛାଡ଼ି ଦଉଛନ୍ତି । ସାଙ୍ଗ ସାଥୀଙ୍କୁ କହିଲେ ସେମାନେ ଏସବୁକୁ ବେକାର ଟେନସନ୍ କହି ଆଡ଼େଇ ଦେଇ ପୁଣି ଫୁର୍ତ୍ତି ଫାଜିଲାମୀ ରେ ଖୁସି ଖୋଜିବାରେ ମାତି ଯାଉଛନ୍ତି । ସୁଚେତାକୁ ଭଲରେ ଜଣା କେବେ ନା କେବେ ତ ବାହା ହବାକୁ ପଡ଼ିବ ,ସବୁ ଜିନିଷର ବୟସ ଥାଏ , ସେ ସୀମା ସରିବା ପରେ , କିଛି ଭଲ ନିଜ ପସନ୍ଦ ମୁତାବକ ମିଳିବା କଷ୍ଟକର ହୋଇ ପଡ଼େ । ଠିକ୍ କିଛି ଏମିତି ସବୁ ଛକାପଞ୍ଜା ମନରେ ଚାଲିଛି ତା'ର । କିବୋର୍ଡ ରେ ହାତ ଚାଲିବା ବେଳେ, ହାତ ତା'ର ଥରୁଛି । କୋଉ କୋଡିଙ୍ଗ କରିବ ବୋଲି ସେ ଭାବୁଚି , ଜୀବନର କୋଡିଙ୍ଗ ସବୁ ଭୁଲ ଦେଖେଇବା ଆରମ୍ଭ କଲାଣି । ପାଠ ସହ ଚାକିରି ଆଉ ସେଥିରେ ପୁଣି ବାହାଘର ନୂଆ ପରିବେଶ ନୂଆ ଲୋକ, ନିଜ ଜନ୍ମ କଲା ବାପା ମାଆଙ୍କ ଖୁସି, ସବୁକୁ କେମିତି ସମ୍ମାନ ଦେଇ ସମସ୍ତଙ୍କ ମନ ମୁତାବକ କାମ କରିବ ସେ ଭାବୁଛି । ପୁଣି ଭାବୁଚି ନିଜ ଖୁସିକୁ ଶ୍ରଦ୍ଧାଞ୍ଜଳି ଦେଇ ଅନ୍ଧ ପରି ଡେଇଁ ପଡିବ ସମସ୍ତଙ୍କ ଖୁସିରେ , କିନ୍ତୁ ପୁଣି ମନରେ ଆସୁଛି ଯଦି ସେ ଖୁସିରେ ନରହିଲା କେତେ ଲୋକ ଦୁଃଖରେ ରହିବେ ତା ପାଇଁ । ଏତେ ଦିନ ଧରି ସେ ସମସ୍ତଙ୍କ ସୁଖର କାରଣ ଥିଲା, ଏବେ ସେ ସମସ୍ତଙ୍କ ଦୁଃଖର କାରଣ ହବାକୁ ଚାହୁଁନି । ଭାବୁଛି ଅସ୍ତ୍ରଶସ୍ତ୍ର ତଳେ ପକେଇ ଦେଇ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦବ । ଏମିତି ସବୁ ଭାବନା ଭିତରେ ତା ପାଖରେ ଗୁଡ଼ାଏ ଖଣ୍ଡେ କାମ ଆସି ରହିଲାଣି, ଭାବୁଛି ସବୁ ଗୁଡାକୁ ଫୋପାଡ଼ି ଦେଇ ଯାଇ କୋଉ ଗୁମୁଟି ଘର ଭିତରେ ନିଜକୁ ଲୁଚେଇ ଦବ ବୋଲି । ପୁଣି ଭାବୁଛି କେତେ ଦିନ ଏମିତି । ନିଜକୁ ପ୍ରକୃତିସ୍ତ କରେଇ ପୁଣି କାମ ଆରମ୍ଭ କରି ଦେଇଚି । ବେଳେ ବେଳେ ସମୟ ହିସାବ କରୁଛି 8 ଘଣ୍ଟା ସରିବାକୁ କେତେ ସମୟ ରହିଲା । ତା ପରର ଅବସ୍ତା ସେ କଳ୍ପନା କରୁଛି ଘରର କେତେ ଲୋକଙ୍କ ଫୋନ୍ ଆସିଯିବ ତାକୁ ହିମତ୍ ଦବାକୁ , ଠିକ୍ ଭୁଲର ମାର୍ଜନା କରିବାକୁ । ୟା' ଭିତରେ ତା ପାଖରେ ଦୁନିଆ କାମ ଆସିଯାଇଛି ଆଉ ସେ ଭାବୁଛି ଆଗ ମୁଁ ମୋ କାମ ରେ ଧ୍ୟାନ ଦିଏ କାରଣ ଏବେ ମୁଁ କିଛି ନୁହେଁ କୋଉ ଘରର ଝିଅ ନୁହେଁ, ବାସ୍ ଗୋଟେ କମ୍ପାନୀର କର୍ମୀ ଆଉ ମୋ କର୍ମ ହେଲା ଯାହା କାମ ମିଲୁଛି ତାକୁ ଠିକ୍ ରେ କରିବା । ଭବିଷ୍ୟତ କଥା ଚିନ୍ତା କରି ନିଜକୁ ଦୁଃଖୀ କରିବାର ନାହିଁ ।


ରଚନା : ପଲ୍ଲବୀ ଦାସ

ଠିକଣା : ଗାୟତ୍ରୀ ନଗର,ନୂଆ ଶାସନ, ଢେଙ୍କାନାଳ ଦୂରଭାଷ :