ତମେ ଶରତ ବୁକୁର କାଶତଣ୍ଡୀ ହାର
ମୁଁ ଦିଗହରା ଫିକା ଫଗୁଣ
ତମେ ଭିଜି ଭିଜି ଯାଅ ଭୋଦୁଅ ବୁକୁରେ
ମୋତେ ଭିଜେଇ ପାରେନା ଶ୍ରାବଣ....
ତମେ ଘାସ ଗାଲିଚାର ଶିଶିର ବିନ୍ଦୁ ଗୋ
ମୁଁ ବାଟ ଭୁଲା ଧୂଆଁ କୁହୁଡ଼ି
ତମେ ଢଳ ଢଳ ମୋତି ପଦୁଅଁ ପତରେ
ମୁଁ ସରସୀ ସୀମିତ ଲହଡି....
ତମେ ଉଦିତ ରବିର ପହିଲି କିରଣ
ମୁଁ ସନ୍ଧ୍ୟା ଦେହେ ସଞ୍ଜ ସଳିତା
ତମେ ପଶ୍ଚିମ ଆକାଶେ ଫୁକିଆ ତାରା ଗୋ
ମୁଁ ଜୋଛନା ରେ ଭିଜା ମୁକୁତା....
ତମେ ଗୋଧୂଳି ଲଗନେ ଦେଖା ଦେଲେ ଥରେ
ମୁଁ ଛୁଇଁ ଯାଏ ସାଥୀ ଶିଖର
ତମେ କ୍ଷଣକରେ ଆସି ଦେଇଯାଅ ଖୁସି
ମୁଁ ସାଜେ ଗୋ ପାଗଳ ଭଅଁର....
ତମେ ନଭଦେଶ ଶଶୀ ଜ୍ୟୋସ୍ନା ଭିଜା ନିଶି
ମୁଁ ଘନ ଅନ୍ଧକାର ରଜନୀ
ତମେ ମଳୟ ବୁକୁର ଶୀତଳ ସମୀର
ମୁଁ ବଇଶାଖୀ ବାଆ ଉଜାଣି....
