ମାଟି ଅଗଣାର ଗୋବର ଲିପା କାନ୍ଥରେ
ମୋ ମାଆ'ର ଅଙ୍କା ବଙ୍କା ଝୋଟିଚିତ୍ର
ତାଳ ସରେଇ ହାଣ୍ଡି କରେଇ ବାଲତି
କେତେ ବୋହୂଚୋରି ପୁଣି କେତେ ମିତ କେତେ ସଇ,ସଙ୍ଗାତ..!
ଆଜି
ଝାପ୍ସା ଝାପ୍ସା ଦିଶେ ସେ ଚାଲିବା ପଥ..!

ଭଙ୍ଗା ସିଲଟ ଛାତିର ନିର୍ଭେଜାଲ୍ ଭଲପାଇବା
କିଛି ଦୃଷ୍ଟାମି ମୋ' ପାଇଁ ମିଛ  ଆଉ
ତା' ପାଖରେ ସତ..!
ପାଞ୍ଚ ପଇସା ବଜାରରେ ମିଳୁଥିଲା ଖୁସି
ଯେହ୍ନେ ଆମେ ଦୁହେଁ ଈଶ୍ୱରଙ୍କ ଇଛା ବରପ୍ରାପ୍ତ..!
ଆଜି
ଝାପ୍ସା ଝାପ୍ସା ଦିଶେ ସେ ଚାଲିବା ପଥ..!

ଯେଉଁ ପଥର
ଧାରେ ଧାରେ ଗାଉଥିଲେ ହଳଦୀ ବସନ୍ତ
ମଧୂର ମହ୍ଲାର ସେ ପ୍ରେମର ସଂଗୀତ..!
ପଥପ୍ରାନ୍ତେ ପଥିକଟେ
ଆକାଶକୁ ମାଗୁଥିଲା କଅଁଳ ଖରା ଆଞ୍ଜୁଳେ
ମହାଶୂନ୍ୟେ ପତେଇ ତା' ଛୋଟିଆ ହାତ..!
ଯେଉଁ ଖରା ଚୁମିଥିଲା
ଅତୀତରେ ସକାଳ ଶୀତ..!
ଆଜି
ଝାପ୍ସା ଝାପ୍ସା ଦିଶେ ସେ ଚାଲିବା ପଥ..!

ଯେଉଁ ମାଟିର ନିମନ୍ତ୍ରିତ ଆକର୍ଷଣ
ଭରୁଥିଲା
ବେଦନାକ୍ତ କ୍ଷତ..!
ସବୁଜ ଗାଲିଚା ମୋହରେ
ଫରକ ବୁଝୁନଥିଲା ମୋ ନିରିମାଖୀ ଆଖି
କିଏ ସେ ଗୋଲାପ ଆଉ କିଏ ପାରିଜାତ..!
ଆଜି
ଝାପ୍ସା ଝାପ୍ସା ଦିଶେ ସେ ଚାଲିବା ପଥ..!

ଭଙ୍ଗା ଲଣ୍ଠନ , ଡିବିରି ଆଲୁଅରେ
ସଞ୍ଚିତ ହେଉଥିଲା ମହଣ ମହଣ ଖୁସି
ନିତି ସଞ୍ଜ ନିତି ଦିନ ଅନ୍ତରେ
କୁମ୍ଭାଟୁଆ ଝିଙ୍କାରି ଗୁଞ୍ଜରଣେ
ନିଶାସକ୍ତ ହେଉଥିଲା ଭଙ୍ଗା ଘରର
ଚାଳ ଛପର ଛାଉଣି ଆଉ ଦଦରା ଛାତ..
ଆଜି
ଝାପ୍ସା ଝାପ୍ସା ଦିଶେ ସେ ଚାଲିବା ପଥ..!

ଏବେ ସେ ପଥ'ର ପ୍ରତ୍ୟେକଟି ମୋଡ ମୋହାଛନ୍ନ ଆଉ
ସ୍ୱାର୍ଥପରତା'ର ଅନ୍ଧ ପୁଟୁଳି ବନ୍ଧା
ତାକୁ ଦେଖି
ଦିବା କୁହୁଡ଼ି ବି ଲାଗେ ଏଠି ରଜନୀ ଆବୃତ..!
ଆଉ ଏ ନିଶିଥିନି ଖୁବ୍ ଗମ୍ଭୀର , ନିଶାସକ୍ତ..!
ଆଜି
ଝାପ୍ସା ଝାପ୍ସା ଦିଶେ ସେ ଚାଲିବା ପଥ..!

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.