ସବାରୀରେ ଯିବ ନେଇ 
                 ବି.ନିରୁପମା

ତୁମରି ବାଟକୁ ଚାହିଁ ରହିଛି ମୁଁ
ନବବଧୂ ବେଶ ସାଜି ,
ବାଜା ରୋଷଣିରେ ଦାଣ୍ଡ ଦୁଲୁକେଇ
ହେଇ-ଆସିଲଣି ଆଜି ।
ଆଉ କିଛି ବେଳ ବାକି.....
ସାତ ଜନମକୁ ସାଥୀ ହୋଇଯିବା
ଦୁନିଆ ରହିବ ସାକ୍ଷୀ ।

ମଥାରେ ମୋହର ସିନ୍ଦୁର ପିନ୍ଧାଇ
ସଵାରୀରେ ଯିବ ନେଇ ,
ବାପଘର ସୁଖ କୁଆଁରୀ ଜୀବନ 
ଯିବି ଏଠି ଛାଡ଼ି ଦେଇ  ।

ତୁମ ସାଥେ ନୂଆ ସଂସାର ଗଢ଼ିବି
ରଖିଛି ଭାବନା କେତେ ,
ପାଛୋଟିବେ ଆସି ନବବଧୂ ବେଶେ 
ତୁମ ଅଗଣାରେ ମୋତେ ।

ପାଇ ସଭିଙ୍କର ସେନେହ ସୋହାଗ 
ଆଗକୁ ବଢ଼ିବି ହସି ,
ଜାଣ ଅଜାଣତେ ଦୋଷ ହୋଇଗଲେ 
ବୁଝାଇବେ ମିଳିମିଶି ।
ତୁମେ ବି ଭରସା ଦେବ.....
ତେବେ ସିନା ଯାଇ ଆମରି ଜୀବନ
ସଦା ମଧୁମୟ ହେବ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।