କହିଲେ ଗରୁଡ଼ ଚାଲ
ବି.ନିରୁପମା
ମାଆ ଏଠି ତୁମେ ବିଜେକରି ଅଛ
ପ୍ରଭୁ ଖୋଜୁଛନ୍ତି ତେଣେ ,
ତୁମବିନା ଘର ଖାଆଁ ଖାଁ ଲାଗିଲା
ରହିହେଲା ନାହିଁ କ୍ଷଣେ ।
ବିରସ ମନରେ ମୋତେ ଡାକି ପରା
କହିଲେ,"ଗରୁଡ଼ ଚାଲ ,
ଲକ୍ଷ୍ମୀ ବିନା ଗୃହ ଶ୍ରୀହୀନ ଲାଗୁଛି
ମନ ବି ଲାଗୁନି ଭଲ ।
ଯେତେ ମିଷ୍ଟ ଅନ୍ନ,ବ୍ୟଞ୍ଜନ ସେସବୁ
ରୁଚୁନାହିଁ ମୋତେ କିଛି ,
ଲକ୍ଷ୍ମୀଙ୍କ ରାନ୍ଧଣା ଭୁଞ୍ଜିବାକୁ ଏବେ
ଭାରି ମନ ହେଉଅଛି ।
ତାଙ୍କ ଆଡ଼ରୁଷା ଅଭିମାନ ମିଶା
ମିଠା ଗାଳି ପଡ଼େ ମନେ ,
ଅଚାନକ ମୋତେ କିଛି ନ ଜଣାଇ
ମାଆ ତୋର ଗଲେ କେଣେ !!"
ପେଚକ ପାଖରୁ ବୁଝିଥିଲି ମୁହିଁ-
ଭ୍ରମଣ କରିବାବେଳେ ,
ଶରଧାରେ ଏଠି ବିଜେକରି ଅଛ
ପଦୁଅଁ ଦେଖିକି ଜଳେ ।
ସେଥିପାଇଁ ତାଙ୍କୁ ଘେନି ଆସିଛି ମୁଁ
ତୁମେ ବି ସଅଳ ଆସ ,
ଉଆସକୁ ଆମ ଫେରିଯିବା ଏବେ
ପ୍ରଭୁଙ୍କ ପାଶରେ ବସ ।
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।
0 Comments
You can write now your valuable comments here. Off-topic comments may be removed or deleted without prior notice.