*ଆସ କିଛି ଜାଣିବା.....୨୫*

*ଗଣେଶଙ୍କୁ ଗଣନାୟକ ବୋଲି କୁହାଯାଇଥାଏ କାହିଁକି ?*

ରାଜା ଅଭିଷେକ ଓ ତାଙ୍କ ରାଣୀ ଗୁଣବତୀଙ୍କର କେହି ସନ୍ତାନ ନଥିଲେ । ଏହି କାରଣରୁ ରାଜା ଓ ରାଣୀ ଦୁଃଖରେ ଥିଲେ । ଥରେ ସେମାନେ ଜଣେ ଋଷିଙ୍କୁ ଦେଖାକରି ନିଜର ସମସ୍ଯା ଜଣାଇଲେ । ଋଷିଙ୍କ ନିର୍ଦ୍ଦେଶ ମୁତାବକ ପୂଜା କରିବାରୁ ରାଜା ଓ ରାଣୀଙ୍କର ଏକ ସୁନ୍ଦର ପୁତ୍ର ଜାତ ହେଲା । ପୁତ୍ରର ନାଁ ରଖାଗଲା ଗଣ । ଗଣ ବଡ଼ ହୋଇ ଭଗବାନ ଶିବଙ୍କୁ ତପସ୍ଯା କଲା । ମହାଦେବ ତା'ର ତପସ୍ଯାରେ ସନ୍ତୁଷ୍ଟ ହୋଇ ତା'କୁ ବରଦାନ ଦେଲେ । ମହାଦେଵଙ୍କ ଠାରୁ ଶକ୍ତିଶାଳୀ ହେବାର ବରଦାନ ପାଇ ଗଣ ଅତ୍ଯାଚାରୀ ହୋଇଉଠିଲା । ଦିନେ ଗଣ ନିଜ ସୈନ୍ୟଙ୍କ ସହ ଶିକାରେ ବାହାରିଲେ । ବହୁ ସମୟ ଧରି ବୁଲିବା ପରେ ମଧ୍ଯ ତା' ଭାଗ୍ଯରେ ଶିକାରଟିଏ ଜୁଟିଲା ନାହିଁ । ଗଣ ଓ ତା'ର ସୈନ୍ୟମାନେ ଜଙ୍ଗଲରେ ଵୁଲୁ ବୁଲୁ କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ । ମୁନି ସେମାନଙ୍କୁ ଖାଇବା ପାଇଁ ଆମନ୍ତ୍ରଣ କଲେ । ମୁନିଙ୍କ ନିକଟରେ ଇନ୍ଦ୍ରଙ୍କ ଦ୍ବାରା ପ୍ରଦତ୍ତ ଚିନ୍ତାମଣି ଥିଲା । ସେହି ଚିନ୍ତାମଣିକୁ ମୁନି ଖାଦ୍ଯ ମାଗି ରାଜକୁମାର ଗଣ ଓ ତା'ର ସୈନ୍ୟମାନଙ୍କୁ ପରଷି ଦେଲେ । ସ୍ବାର୍ଥପର ଗଣ ମୁନିଙ୍କୁ ସେହି ମଣି ମାଗିଲା । କପିଳ ମୁନି ତା'କୁ ଚିନ୍ତାମଣି ଦେବାକୁ ମନାକରି ଦେଲେ । ମାତ୍ର ଗଣ ବଳପୂର୍ବକ ମୁନିଙ୍କ ଠାରୁ ମଣିଟିକୁ ଛଡାଇ ନେଲା । ନିରାଶ ହୋଇ ମୁନି କପିଳ ଭଗବାନ ଗଣେଷଙ୍କୁ ଡାକିଲେ । ଗଣେଶ ପ୍ରକଟ ହୋଇ କପିଳ ମୁନିଙ୍କୁ ଚିନ୍ତାମଣି ଫେରାଇ ଆଣିବା ଲାଗି ପ୍ରତିଶ୍ରୁତି ଦେଲେ । ଏହାପରେ ଗଣକୁ ସ୍ବପ୍ନାଦେଶ ହେଲା । ଚିନ୍ତାମଣି ଫେରାଇ ଦେବାକୁ ଗଣେଶ ତା'କୁ ସ୍ବପ୍ନରେ କହିଲେ । ମାତ୍ର ସ୍ବପ୍ନାଦେଶକୁ ଖାତିରି କଲା ନାହିଁ ଗଣ । ସେ ଗଣେଶଙ୍କ ସହ ଯୁଦ୍ଧ କରିବାକୁ ବାହାରିଲା । ଘମାଘୋଟ ଯୁଦ୍ଧ ହେଲା । ଶେଷରେ ଗଣେଶଙ୍କ ହାତରେ ଗଣର ପ୍ରାଣ ଗଲା । ସେଥିପାଇଁ ଗଣେଶଙ୍କୁ ଗଣନାୟକ କୁହାଯାଇଥାଏ । ଗଣେଶ ଚିନ୍ତାମଣି ଆଣି କପିଳମୁନିଙ୍କୁ ଦେଲେ । ମାତ୍ର ମୁନି କହିଲେ, ଏହି ମଣି ସର୍ବଦା ମୋ ପାଇଁ ଚିନ୍ତାର କାରଣ ପାଲଟିଛି । ଏଣୁ ଆପଣ ଏହାକୁ ନିଜ ପାଖରେ ରଖନ୍ତୁ । ଗଣେଶ ଚିନ୍ତାମଣିକୁ ନିଜ ପାଖରେ ରଖିଲେ । ଏହି ଘଟଣା ପରେ କପିଳ ମୁନି ଗଣେଶଙ୍କ ଏକ ମନ୍ଦିର ପ୍ରତିଷ୍ଠା କଲେ । ସେହି ମନ୍ଦିର ଚିନ୍ତାମଣି ବିନାୟକ ମନ୍ଦିର ଭାବେ ପ୍ରସିଦ୍ଧ ହେଲା । ଯାହା ଏବେ ମହାରାଷ୍ଟ୍ରର ପୁନେ ସହର ନିକଟରେ ଥିବା ଅଷ୍ଟ ବିନାୟକ ମନ୍ଦିର ମଧ୍ଯରୁ ଅନ୍ଯତମ ।

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦