• ବୁଢ଼ା ନାଉରୀଆ ବେଶ / ହୋଇ ଦିନେ ହୃଷିକେଶ
• ନାବନେଇ ଉପଗତ / ଯମୁନା କୂଳେ
• ମୁଣ୍ଡ ରେ ବନ୍ଧା ପଗଡ଼ି / ହାତେ ଧରି କାତ ବାଡି
• ଡାକୁଛନ୍ତି ଆସ କିଏ / ଯିବ ସେପାରେ
• ଉଛୁଳେ ଯମୁନା ଜଳ / ମନରେ ଭୟ ନକର
• ମୁଁ ଡଙ୍ଗା ଚଳାଏ ନିତି / ଏ ଅଗାଧ ଜଳେ ,
• ନାବନେଇ ଉପଗତ / ଯମୁନା କୂଳେ ।।

• ଶ୍ୟାମଳ ଶ୍ୟାମ ବରଣ / ଶାନ୍ତ କାନ୍ତ ମନୋରମ
• ସୈାମ୍ୟକାନ୍ତ ରୂପ ବନ୍ତ / ସ୍ମିତ ହସରେ
• କଳ କଳ ଛଳ ଛଳ / ସ୍ଵତ୍ସ ଯମୁନା ର ଜଳ
• ଉଲୁସୀ ଉଠଇ ଦେହ / ମୃଦୁ ହିଲ୍ଲୋଳେ
• ଏକାଳେ ରାଧୀକା ରାଣୀ / ସଙ୍ଗେ ଗୋପ ଗୋପାଳୁଣୀ
• ମଥୁରା ହାଟ ଗମନେ / ହେଲେ ସତ୍ତ୍ଵରେ,
• ନାବନେଇ ଉପଗତ / ଯମୁନା କୂଳେ ।।

• ଦହି,ଦୁଗ୍ଧ,ଛେନା,ସର, / ଲବଣୀ ଭାଣ୍ଡର ଭାର
• ପାରହେବୁ ନାଉରୀଆ / ଆସ ଆସ ରେ
• ଆସ ଆରେ ଗୋପ ଗୋଇ / ପାରକରିଦେବି ମୁହିଁ
• ଜଣ ଜଣ କରି ମୋର / ଏ ଭଙ୍ଗା ନାବରେ
• ଆସ ରେ ନବ ଛଇଳା / ଦକ୍ଷ ନାବିକ ମୁଁ ପରା
• ଡର ପରିହାର କର / ଭୟ ନାହିଁ ରେ
• ନାବନେଇ ଉପଗତ / ଯମୁନା କୂଳେ ।।

• ନାବିକ,ସଂସାର ସାଗର / ପାର କରେ କୃଷ୍ଣ ନାଗର
• ତାହାତରେ ଭାଗ୍ୟ ଡୋରି / ପାପ, ପୁଣ୍ୟ ରେ
• କର୍ମ ତୋ ଜୀବନ ସାଥି / ସବୁ ମିଶି ପଥେ ସାରଥୀ
• ସେ ନାବିକ ବଡ଼ ଚତୁର / ହିସାବ କରେ
• ମାୟା ମୋହ ପାପ ଚକ୍ଷୁ / ଖୋଲ, ନାବକେଳି କରିବୁ
• ତା ଦଦରା ନାବ ଭିତରେ / ମାୟା ସାଗରେ
• ନାବନେଇ ଉପଗତ / ଯମୁନା କୂଳେ ।।

• ବୃଷଭାନୁ ସୁତା ଯେବେ / ବସିଲେ ଯାଇ ନାବରେ
• ମାୟା କଲେ ମାୟାଧର / ନଦୀ ମଝୀରେ
• ନିଜରୂପ ପ୍ରକାଶିଲେ / ନାବେ ନାବକେଳି କଲେ
• ନଜାଣଲେ ଗୋପାଙ୍ଗନା / କିଛିହିଁ ତିଳେ
• ଅଭିନ୍ନ ଯୁଗ୍ମ ମୂରତି / ଫେଡ ପ୍ରଫୁଲ୍ଲ ଦୁର୍ଗତି
• ଜଣାଏ ରାଧା ମାଧବ / ଚରଣ ତଳେ,
• ନାବନେଇ ଉପଗତ / ଯମୁନା କୂଳେ ।।









ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି , ଖୋର୍ଦ୍ଧା
ଦୂରଭାଷ :