********************************
ପଥ'ର ପଥିକ ପଥର ପରେ ସେ
ସ୍ବଚ୍ଛ ଜଳେ ଚୁମ୍ବି ଦିଏ,
ପାଦପ ପାଦରେ ପରଶୀ ଦେଉଛି
ଅମ୍ବୃତ ଆହାର ପ୍ରାୟେ ।
ଫିଟାଇ ମେଦିନୀ ନୟନ ମୋଦିକା
ଗଗନ ବଦନ ଚାହେଁ,
କଳାହାଣ୍ଡି ପରି କଳାକୁଞ୍ଚ ଶାଢୀ
ଅଞ୍ଚଳ କୁଞ୍ଚ ସେ ଦେହେ ।୨।
ଅମ୍ବର କାନନେ ଦମ୍ଭ ପଣେ ସ୍ତମ୍ଭ
ମେଘଦ ଶିଶିର ଠିଆ,
ଘନ ଘନ ରଡ଼ି ଯୁଦ୍ଧ ବାଦ୍ୟ ଭେରୀ
ଜଳ ବିନ୍ଦୁ ଦିଆ ନିଆ ।୩।
ପ୍ରସବିନୀ ଧରା ପ୍ରସନ୍ନ ଚିତରେ
ପ୍ରସ୍ତାବ ଦେଇଛି ପ୍ରେମେ,
ଆକାଶ ତନୁରୁ ବହିଗଲେ ଜଳ
ପ୍ରୀତି ଦିଏ ନିଜ ଧାମେ ।୪।
ସଂଶୟ ଘୋଟିଛି ଘଟ ଘଟେ ଘାଟେ
ଘନମେଘ କେଳୀ କଳି,
ରାଣ ପଣ ଟାଣ ବିଜୁଳି ପ୍ରମାଣ
ମାଟି- ବର୍ଷା- ବ୍ଯୋମ ଜୁଳି ।୫।
ଜନ ମନ ଧ୍ଯାନ ଉର୍ବୀ କୁଞ୍ଜ ଗାନ
ସ୍ବଚ୍ଛଳ ଉଜ୍ଜ୍ଵଳ ଝର,
ନିଶ୍ଚଳ ମଣ୍ଡଳ ତୋଳିଛି ଅଞ୍ଚଳ
ଶୁଦ୍ଧପୂତ ସେ କୁଟୀର ।୬।
ବିମୁଗ୍ଧା ନାୟିକା ଆକାଶ ପ୍ରେମିକା
ପ୍ରୀତି ମେଘେ ଭାସମାନ,
ସରୁ ସରୁ କଳା ମେଘର କଜଳ
ଭ୍ରୂଲତା ନୃତ୍ଯେ କମ୍ପନ ।୭।
ପ୍ରଫୁଲ୍ଲିତ ପତ୍ର ଆଚ୍ଛାଦନ ଗାତ୍ର
ଓଢ଼ଣୀ ସେ ନୀଳ କେଶେ,
ନୀଳବର୍ଣ୍ଣ ଅଙ୍ଗ ବର୍ଷା ସଙ୍ଗେ ସାଙ୍ଗ
ନୀଳବର୍ଣ୍ଣା ନଭ ଆଶେ ।୮।
********************************
ଭଜରାମ ସେଠୀ ନିରାଳ ଗଂଜାମ
9566876504
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ଗଂଜାମ ଦୂରଭାଷ : 9566876505
Sent via Google Forms Email
