*ରାମାୟଣରୁ କିଛି.....୬୫*

*ଚ୍ଯବନମୁନିଙ୍କ ପୁତ୍ର ରତ୍ନାକର ଜଣେ ମହାପାପୀ ଓ ଦସ୍ଯୁ ବୋଲି କିଏ କାହାକୁ କହିଥିଲେ*

ମହାପ୍ରଭୁ ନାରାୟଣଙ୍କ ନିବାସ ବୈକୁଣ୍ଠ ଭୁବନ । ବୈକୁଣ୍ଠପୁରୀରେ ମହାପ୍ରଭୁ ନାରାୟଣ ମହାଲକ୍ଷ୍ମୀଙ୍କ ସହିତ ବିଜେହୋଇ ରହିଥାନ୍ତି । ପ୍ରତିଦିନ ନାରଦ ସେଠାରେ ପହଞ୍ଚି ବୀଣାବାଦନପୂର୍ବକ ପ୍ରଭୁଙ୍କର ଗୁଣ ଗାନ କରନ୍ତି । ଏହି ସମୟରେ ଦିନେ ପ୍ରଭୁ ନାରାୟଣ ନିଜ ଇଚ୍ଛାରେ ଚାରିରୂପ ଧାରଣ କଲେ । ଯଥା-ରାମ,ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ । ନାରଦ ପହଞ୍ଚି ଦେଖନ୍ତି ତ ପ୍ରଭୁ ନାରାୟଣ ଚାରିମୂର୍ତ୍ତି ଧାରଣକରି ବିଜେ ହୋଇଛନ୍ତି । ବାମ ପାର୍ଶ୍ବରେ ମହାଲକ୍ଷ୍ମୀ ସୀତାଦେଵୀରୂପେ ରହିଛନ୍ତି । ଶ୍ରୀରାମଙ୍କ ମୁଣ୍ଡ ଉପରେ ଶ୍ବେତ ଛତ୍ର ଟେକିଛନ୍ତି ଲକ୍ଷ୍ମଣ । ଭରତ ଶ୍ରୀରାମଙ୍କ ଉପରେ ଚାମର ଚାଳନା କରୁଛନ୍ତି । ଶ୍ରୀରାମଙ୍କ ଉପରେ ଶତ୍ରୁଘ୍ନ ଆଲଟ ପକାଉଛନ୍ତି । ଶ୍ରୀରାମଙ୍କ ପାଦ ପାଖରେ ହନୁମାନ ବସି ଶ୍ରୀରାମଙ୍କ ପାଦ ଚିପି ଦେଉଛନ୍ତି । ପ୍ରଭୁ ନାରାୟଣଙ୍କର ଏହି ଅଭିନବ ଚତୁର୍ଦ୍ଧା ମୂର୍ତ୍ତି ଦେଖି ନାରଦଙ୍କ ଶରୀର ପରମ ଭକ୍ତିରେ ରୋମାଞ୍ଚିତ ହୋଇଉଠିଲା । ପରମପୁଲକରେ ନାରଦ ବୀଣା ବଜାଇ ପ୍ରଭୁଙ୍କର ଗୁଣଗାନ କରିବାରେ ଲାଗିଲେ । ପ୍ରଭୁ ନାରାୟଣଙ୍କଠାରୁ ଯଥାବିଧିରେ ବିଦାୟ ନେଇ ନାରଦ ବୈକୁଣ୍ଠପୁରରୁ ଧୀରେ ଧୀରେ ଫେରିବାରେ ଲାଗିଲେ । ଫେରିବା ପଥରେ ନାରଦ ମନେମନେ ବିସ୍ମିତ ହୋଇ ଭାବିଲେ --ପ୍ରଭୁ ନାରାୟଣ ଚିରକାଳ ଏକମୂର୍ତ୍ତି ଥିବା ସ୍ଥଳେ ବର୍ତ୍ତମାନ କି ହେତୁ ନିଜକୁ ଚାରିମୂର୍ତ୍ତି କଲେ ଏହାର କାରଣ ତ ମୁଁ କିଛି ବୁଝିପାରୁନାହିଁ । ଆଗ ମୁଁ ଯାଉଛି ପିତା ବ୍ରହ୍ମାଙ୍କୁ ପଚାରି ଏହାର କାରଣ ବୁଝିବି-ତା' ହେଲେ ମୋ ମନରୁ ସମସ୍ତ ବିସ୍ମୟ ଓ ସଂଶୟ ଦୂରୀଭୂତ ହୋଇଯିବ ।
ମନ ମଧ୍ଯରେ ଏହିପରି ଭାବୁଭାବୁ ନାରଦ ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ ଓ ବ୍ରହ୍ମାଙ୍କୁ କହିଲେ--ପିତା , ପ୍ରଭୁ ନାରାୟଣ ତ ଚିରକାଳ ଏକମୂର୍ତ୍ତି ଥିଲେ । ମୁଁ ଆଜି ବୈକୁଣ୍ଠପୁରୀକି ଯାଇ ଦେଖିଲି ପ୍ରଭୁ ନାରାୟଣ ଏକମୂର୍ତ୍ତି ପରିବର୍ତ୍ତେ ଚତୁର୍ଦ୍ଧାମୂର୍ତ୍ତି ହୋଇଛନ୍ତି । ସେହି ଚାରିମୂର୍ତ୍ତି ଦେଖି ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି । ଆପଣ ଏହାର କାରଣ ମୋତେ ବୁଝାଇ ଦିଅନ୍ତୁ । ତା' ହେଲେ ମୋ ମନରୁ ସମସ୍ତ ବିସ୍ମୟ ଓ ସଂଶୟ ଦୂରୀଭୂତ ହେବ । ନାରଦଙ୍କ ମୁଖରୁ ଏହା ଶୁଣି ବ୍ରହ୍ମା କହିଲେ-ପୁତ୍ର, ତୁମ୍ଭେ ମୋତେ ଯାହା ପଚାରିଲ ତାହାର ଉତ୍ତର ଦେବାପାଇଁ ମୁଁ ସମ୍ପୂର୍ଣ୍ଣ ଅସମର୍ଥ । ପ୍ରଭୁ ନାରାୟଣ କି ହେତୁ ଏକମୂର୍ତ୍ତି ପରିବର୍ତ୍ତେ ନିଜକୁ ଚାରିମୂର୍ତ୍ତି କଲେ ତହିଁର କାରଣ ମୋତେ କିଛି ହେଲେ ଜଣାନାହିଁ । ତହିଁର କାରଣ କହିବା ପାଇଁ କେବଳ ସର୍ବଜ୍ଞାତା ପରମ ମହାତ୍ମା ଶିବ ହିଁ କେବଳ ସମର୍ଥ । ଚାଲ ଆମେ
ଦୁହେଁ କୈଳାସପୁରୀକୁ ଯାଇ ସେଠାରେ ଶିବଙ୍କୁ ଏକଥା ପଚାରି ବୁଝିବା । ସଙ୍ଗେ ସଙ୍ଗେ ବ୍ରହ୍ମା ଓ ନାରଦ ଉଭୟ ମିଶି କୈଳାସପୁରୀକି ଗମନ କଲେ । କୈଳାସପୁରୀରେ ପହଞ୍ଚି ସେଠାରେ ଉଚ୍ଚଧ୍ବନିରେ ଶିବଙ୍କୁ ସ୍ତୁତି କରିବାରେ ଲାଗିଲେ । ବ୍ରହ୍ମା ଓ ନାରଦଙ୍କ ଜଣାଣ ଶୁଣି ଶିବ ନିଜ ସ୍ଥାନରୁ ବାହାରିଆସି ସେ ଦୁହିଁଙ୍କ ସମ୍ମୁଖରେ ଉଭା ହେଲେ ଏବଂ ବ୍ରହ୍ମା ଓ ନାରଦଙ୍କୁ କୁଶଳ ପ୍ରଶ୍ନମାନ ପଚାରିଲେ । ଏହାପରେ ଶିବ କହିଲେ- ହେ ଵ୍ରହ୍ମା , ତୁମ ମୁଖରେ ତ ଆନନ୍ଦଭାବ ପୂରି ରହିଅଛି । କଥା କ'ଣ ? କିଛି କୋଉଠି ଅଭୁତ କଥା ଦେଖିଲ କି ?
ଶିବଙ୍କ ପ୍ରଶ୍ନ ଶୁଣି ବ୍ରହ୍ମା କହିଲେ-ହେ ସଦାଶିବ, ପ୍ରଭୁ ନାରାୟଣ ତ ସର୍ବଦା ଏକମୂର୍ତ୍ତି ହୋଇ ରହିଥିଲେ । ଆଜି ନାରଦ ଯାଇ ଦେଖନ୍ତେ ପ୍ରଭୁ ନାରାୟଣ ନିଜକୁ ଚାରି ମୂର୍ତ୍ତିରେ ପରିଣତ କରିଛନ୍ତି । ଏହାର କାରଣ ଆପଣ କରୁଣା କରି ଆମକୁ କହନ୍ତୁ । ତା' ହେଲେ ଆମ ମନରୁ ସମସ୍ତ ବିସ୍ମୟ ଓ ସନ୍ଦେହ ଦୂରୀଭୂତ ହେଵ । ବ୍ରହ୍ମାଙ୍କ ବଚନ ଶୁଣି ଶିବ କହିଲେ--ହେ ବେଦପତି, ବର୍ତ୍ତମାନ ମୋଠାରୁ ଏକଥା ଜାଣିରଖ ଯେ ଆଜିଠାରୁ ଠିକ୍ ଷାଠିଏ ବର୍ଷ ପରେ ପ୍ରଭୁ ନାରାୟଣ ଚାରି ରୂପରେ ମର୍ତ୍ତ୍ଯମଣ୍ଡଳରେ ଜନ୍ମଲାଭ କରିବେ । ମର୍ତ୍ତ୍ଯରେ ରାବଣ ବୋଲି ଗୋଟାଏ ମହା ଦୁଷ୍ଟଦୈତ୍ଯ ଜନ୍ମଲାଭ କରିବ । ତପୋବଳରେ ବର ପାଇ ସେ ଦେବତାମାନଙ୍କୁ ବହୁ ଯନ୍ତ୍ରଣା ଦେବ । ପ୍ରଭୁ ନାରାୟଣ ରାମ,ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଏହି ଚାରି ରୂପରେ ଜନ୍ମଲାଭ କରି ଯଥାକାଳରେ ରାବଣକୁ ବଧ କରିବେ । ରାବଣ ବଧପାଇଁ ପ୍ରଭୁ ନାରାୟଣ ଏକମୂର୍ତ୍ତି ପରିବର୍ତ୍ତେ ଚାରିମୂର୍ତ୍ତି ଧାରଣ କରିଛନ୍ତି । ସେହି ରାମ ନାମ ମହାପବିତ୍ର ଅଟେ । ଯେଉଁ ପ୍ରାଣୀ ସେହି ରାମ ନାମ ଜପ କରିବ ସେ ଭବପାରାବାରକୁ ଅକ୍ଳେଶରେ ତରିଯିବ । ପ୍ରାଣୀ ରାମ ନାମ ଜପ କଲେ ତା'ର ବୈକୁଣ୍ଠପ୍ରାପ୍ତି ଘଟିବ ।
ସଦାଶିବଙ୍କ ମୁଖରୁ ଏହିସବୁ କଥା ଶୁଣି ବ୍ରହ୍ମା ପରମଆନନ୍ଦିତ ହେଲେ । ଏହି ସମୟରେ ବ୍ରହ୍ମାଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଉଦିତ ହେଲା । ସେ ଭାବିଲେ , ରାମ ନାମରେ ଯଦି ଏତେ ଶକ୍ତି ,ତେବେ ମୁଁ ତାହା ପରୀକ୍ଷା କରି ଜାଣିରଖିବା ଆବଶ୍ଯକ । ତହିଁ ସଦାଶିବଙ୍କୁ ବ୍ରହ୍ମା ପଚାରିଲେ ,-ହେ ସଦାଶିବ ,କୋଉଠି ଯଦି କେହି ମହାପାପୀ ଥାଏ ତେବେ ମୋତେ ତାହାର ଠିକଣା ଦିଅନ୍ତୁ , କାରଣ ତାହାଠାରେ ରାମନାମର ମହିମା ପରୀକ୍ଷା କରିବା ମୋର ଇଛା । ବ୍ରହ୍ମାଙ୍କ କଥା ଶୁଣି ଶିବ କହିଲେ--ମର୍ତ୍ତ୍ଯଭୂମିରେ ଚ୍ଯବନ ବୋଲି ଜଣେ ଋଷି ଅଛନ୍ତି । ସେହି ଚ୍ଯବନମୁନିଙ୍କ ପୁତ୍ର ରତ୍ନାକର ମହାପାପୀ ଅଟେ । ରତ୍ନାକର ଏକ ଦସ୍ଯୁ । ତୁମ୍ଭେ ଏହିବାଟେ ମର୍ତ୍ତ୍ଯକୁ ଗଲେ ଦସ୍ଯୁ ରତ୍ନାକରକୁ ଦେଖିବାକୁ ପାଇବ । ଦସ୍ଯୁ ରତ୍ନାକରକୁ ବଳି ମହାପାପୀ ଆଉ କୋଉଠି ନାହିଁ । ତାକୁ ଭେଟିବାକୁ ହେଲେ ତୁମେ ନାରଦଙ୍କୁ ସଙ୍ଗରେ ନେଇ ଏଇ ବାଟେବାଟେ ଯାଅ । ଏହା କହି ଶିବ ବ୍ରହ୍ମାଙ୍କ ସମ୍ମୁଖରୁ ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଗଲେ । ବ୍ରହ୍ମା ଓ ନାରଦ ଋଷିବେଶ ଧାରଣ କରି ଶିବ ବତେଇ ଦେଇଥିବା ବାଟରେ ଦସ୍ଯୁ ରତ୍ନାକରକୁ ଭେଟିବା ଉଦ୍ଦେଶ୍ୟରେ ଯାତ୍ରା କଲେ ।
କ୍ରମଶଃ.....

*ସଂଗ୍ରହକାରୀ---ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*



ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫