ତନୁ ହୋଇଲାଣି କ୍ଷୀଣ
                 ବି.ନିରୁପମା

କଥା ଦେଇଥିଲ ସଅଳ ଫେରିବ
ଉଛୁର ହେଲାଣି କେତେ ,
ଏତେଦିନ ଯଦି ରହିବାର ଥିଲା
ସାଥେ ନେଲନାହିଁ ମୋତେ !!

ଏକୁଟିଆ ଏଠି ଝୁରି ଝୁରି ପରା
ତନୁ ହୋଇଲାଣି କ୍ଷୀଣ ,
ପ୍ରତାରଣା କରି ଚାଲିଗଲ ବୋଲି
କହିଲେଣି କେତେଜଣ ।

ତାଙ୍କ କଥା ଶୁଣି ନ ଶୁଣିଲା ଭଳି
ଏ ଠାବରେ ଅଛି ରହି ,
ତୁମନାମେ କିନ୍ତୁ ଏତେ ଅପବାଦ 
ଶୁଣି ହୃଦ ହୁଏ ଦହି ।

ତୁମେ ମୋର ଶ୍ଵାସ ତୁମେ ମୋ ବିଶ୍ୱାସ
ତୁମେ ମୋର ପଞ୍ଚପ୍ରାଣ ,
ତୁମଠାରେ ମୋର ଅସୀମ ଭରସା
କହୁଛି ପକାଇ ରାଣ ।

ଆଉ ଜମା ତୁମେ ବିଳମ୍ବ କରନା
ମୋ କଥାକୁ ମନେ ସ୍ମରି ,
ତୁମରି ପାଶକୁ ଘେନିଯାଅ ମୋତେ
ପ୍ରତୀକ୍ଷାର ଅନ୍ତ କରି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।