ଅସଂଖ୍ୟ ଲୋକଙ୍କ ଗହଳି ଓ ଘୋ ଘା ହୋ ହା ତଥା ଡାକବାଜି ଯନ୍ତ୍ରର କାନଫଟା ଚିତ୍କାରରେ ଅତିଷ୍ଠ ହୋଇ ମୁଁ ଅପେକ୍ଷାକୃତ କମ୍ ଗହଳି ଥିବା ମେଳାର ଠିକ୍ ଶେଷ ଆଡକୁ ଥିବା ଚିହ୍ନା ଚା' ଦୋକାନରେ ପଡିଥିବା ବେଞ୍ଚ୍ ଉପରେ ବସି ଗରମ ଚା ' ର ମଜା ନେଉଥାଏ | ଏଣେ ତେଣେ ଦୃଷ୍ଟି ଦୌଡାଇ ମେଳାକୁ ଆସି କିଣାକିଣିରେ ମସଗୁଲ୍ ଥିବା ଲୋକଙ୍କୁ ଦେଖୁଥାଏ | ହଠାତ୍ ମୋର ଦୃଷ୍ଟିଟା ଚା' ଦୋକାନର ବିପରୀତ ପାର୍ଶ୍ୱରେ ଥିବା ରାସ୍ତା କଡରେ ଗୋଟିଏ ବଡ ରଙ୍ଗୀନ୍ ପିପିଲି ଛତା ତଳେ ବହିର ପସରା ମେଲାଇ ବସିଥିବା ବହି ଦୋକାନୀଟି ଉପରେ ପଡିଲା | ତଳେ ପାଲ ପାରି ତା' ଉପରେ ଗୁଡିଏ ବହି ସଜାଇ ପ୍ରାୟ ପଚାଶ ପଞ୍ଚାବନ ବର୍ଷର କାଳିଆ ଦୁର୍ବଳିଆ ଲୋକଟିଏ ବସିଛି | ବୟସର ପ୍ରଭାବ ନୁହେଁ ବରଂ ଜୀବନ ସଂଘର୍ଷର ଅସୀମ ସଂଘାତରେ ତାର ମୁହଁରେ ଆଙ୍କି ହୋଇ ଯାଇଛି ଅନେକ ଅଲିଭା ରେଖା ଯାହା ଦୂରରୁ ବି ସ୍ପଷ୍ଟ ଦୃଶ୍ୟ ହେଉଥାଏ |

କାଳିଆ ମୁହଁଟା ପାଚିଲା ଦାଢିରେ ଭର୍ତ୍ତି | ବୋଧହୁଏ ସପ୍ତାହେ ହେବ ଖିଅର ହୋଇନି | ମୁଣ୍ଡରେ ଧଳା କଳାର ଖେଚେଡି ଆଲୁଳାୟୀତ କେଶ | ପୋଷାକର ଅବସ୍ଥା ମଧ୍ୟ ତଦୃପ | ସବୁ ମିଶି ଏତିକି ଧାରଣା ସୃଷ୍ଟି କରାଇବାକୁ ସକ୍ଷମ ହେଉଛି ଯେ ଲୋକଟିର ଜୀବନର ଗାଡି ବଡ କଷ୍ଟରେ ଚାଲିଛି | ମଝିରେ ମଝିରେ ସେ ନିଜର ଝାଳୁଆ ମୁହଁଟା ଉପରେ କାନ୍ଧରେ ପଡିଥିବା ଗାମୁଛାଟା ଆଣି ବୁଲେଇ ନେଇ ପାଟି କରୁଥିଲା... " ଆସ ବହି ନିଅ ଶୁଆ ସାରୀ କାହାଣୀ, ଆଈ ମା କାହାଣୀ, ଅବଲୋକରା କାହାଣୀ, ଚିତ୍ତ ବିନୋଦ, ଭାଗବତ" ମଝିରେ ଟିକେ ବିରାମ ଦେଇ ପୁଣି ପାଟି କରୁଥାଏ, " ଆସ ବହି ନିଅ ନୃସିଂହ ପୁରାଣ, ହରିବଂଶ, ରାମାୟଣ, କୃଷ୍ଣଲୀଳା."....... " ଆସ ବହି ନିଅ ଚାଟଶାଳୀ ପାଠ, ମଥୁରା ମଙ୍ଗଳ, ସହଜ ଇଂରାଜୀ ଶିକ୍ଷା, ବ୍ୟାକରଣ."......,"ଆସ ବହି ନିଅ ଛବିଳ ମଧୁ ବର୍ଣବୋଧ, ଫକୀର ମୋହନ ଗ୍ରନ୍ଥାବଳୀ, ରାଧାନାଥ ଗ୍ରନ୍ଥାବଳୀ, ଗଙ୍ଗାଧର ଗ୍ରନ୍ଥାବଳୀ, ବୈଷ୍ଣବ ପାଣି ଗ୍ରନ୍ଥାବଳୀ....." ଇତ୍ୟାଦି ଇତ୍ୟାଦି......| ମଝିରେ ମଝିରେ ପାଟି କରି କରି ତଣ୍ଟି ଶୁଖିଗଲେ ପାଖରେ ଥିବା ପାଣି ବୋତଲରୁ ପାଣି ଢୋକେ ଦି ଢୋକ ପିଇ ଦେଇ ପୁଣି ପାଟି କରୁଥାଏ |

ଗ୍ରାହାକ ଆସୁଥାନ୍ତି, ବହି ଗୁଡାକ ଖେଳେଇ ଦେଇ ଚାଲି ଯାଉଥାନ୍ତି | କେହି କେହି ବହିର ପୃଷ୍ଠା ଗୁଡିକ ଓଲଟାଇ କଣ ସବୁ ଦେଖି ନନେଇ ଚାଲିଯାଉଥାନ୍ତି | ସତେ ଯେପରି ଜ୍ଞାନ ଗୁଡାକ ମୁଣ୍ତରେ ପଶି ରହିଗଲା, ଆଉ ପଢିବାର ଆବଶ୍ୟକତା ନାହିଁ | ବିଚରା ଏଣେ ତେଣେ ଖେଳାଇ ହୋଇ ପଡିଥିବା ବହିଗୁଡିକୁ ସାଉଁଟି ଆଣି ପୁଣି ସଜେଇ ଦେଉଥାଏ | ମୁଁ ମନେ ମନେ ଭାବୁଥାଏ ଆଜିକାଲି ଯୁବପିଢିର ପୁସ୍ତକ ପ୍ରୀତି ଯାହା ଏ ବହି ବେପାରକରି ବିଚରା ଲୋକଟି କେମିତି ଯେ ତା କୁଟୁମ୍ବ ପୋଷୁଥିବ କେବଳ ତାକୁ ହିଁ ଜଣା | ମୋବାଇଲ୍ ରିଚାର୍ଜ ଓ ମାଦକ ଦ୍ରବ୍ୟ ସେବନରୁ କିଛି ଅର୍ଥ ଯଦି ପୁସ୍ତକ କିଣିବାରେ ଖର୍ଚ୍ଚ କରୁଥାନ୍ତା ତେବେ ବହି ବିକ୍ରେତା, ପ୍ରକାଶକ ଓ ଲେଖକ ଉପକୃତ ହୁଅନ୍ତେ | ସାରସ୍ୱତ ସାଧନାକୁ ନିଶା ନକରି ପେଷା ଭାବରେ ଗ୍ରହଣ କରିବାକୁ କୌଣସି ଅସୁବିଧା ନଥାନ୍ତା | ପାଠକ ମାନଙ୍କର ଅନାଗ୍ରହ ଯେ ସାରସ୍ୱତ କ୍ଷେତ୍ରକୁ ସଙ୍କୁଚିତ କରୁଛି ଏଥିରେ କୌଣସି ଦ୍ୱିମତ ନାହିଁ |

ମୁଁ ଉଠି ଠିଆହେଲି | ପର୍ସ ଖୋଲି ଦେଖିଲି.....ତିନି ଖଣ୍ଡ ଶହେ ଟଙ୍କିଆ ନୋଟ୍ ତା ଭିତରୁ ଉଙ୍କି ମାରୁଥିଲା | ପର୍ସରୁ ରେଜା ପଇସା କାଢି ଚା ଦୋକାନୀକୁ ଦେଇ ପୁଣି ପ୍ୟାଣ୍ଟ୍ ର ପଛ ପକେଟରେ ପର୍ସଟାକୁ ଗେଞ୍ଜିଦେଇ ଚାଲ ଚାଲ ହୋଇ ରାସ୍ତା ପାରି ହୋଇ ବହି ଦୋକାନୀଟିର ସାମନାରେ ଠିଆହେଲି | ବହିବାଲା ମୋତେ ଆଶାୟୀ ନେତ୍ରରେ ଚାହିଁ କହିଲା, ବହି ନେବେ ଆଜ୍ଞା ? ଦେଖନ୍ତୁ କୋଉଟା ନେବେ | ପାଞ୍ଚଶ ଟଙ୍କାର ବହି ଯଦି ନେବେ ତେବେ ଆପଶଙ୍କୁ ମିଳିବ ସ୍ପେଶାଲ୍ ଡିସ୍କାଉଣ୍ଟ୍, ଟ୍ୱୋଣ୍ଟି ପର୍ସେଣ୍ଟ୍ | ମୁଁ ଆଖି ବୁଲେଇଲି | ରାଧାନାଥ ଗ୍ରନ୍ଥାବଳୀଟିକୁ ଉଠାଇ ଆଣିଲି | ଦାମ୍ ଥିଲା ଦୁଇଶ ପଚାଶ ଟଙ୍କା ଏ ଅମୂଲ୍ୟ ଗ୍ରନ୍ଥର | ମୋ ପାଖରେ ଥିବା ତିନିଖଣ୍ଡ ଯାକ ଶହେଟଙ୍କିଆ ତା' ହାତକୁ ବଢାଇଦେଲି | ଦୋକାନୀ କହିଲା, ଆଜ୍ଞା ! ଆଉ ଦୁଇଶ ଟଙ୍କାର ନେଇ ଯାଆନ୍ତୁ, ଟୋଟାଲ୍ ଚାରିଶହ ଦେବେ | ମୁଁ ଅଳ୍ପ ହସି କହିଲି, ମୋ ପାଖରେ ଏତିକି ହିଁ ଅଛି | ତୁମେ ମୋତେ ରିହାତି ଦେବା ଆବଶ୍ୟକ ନାହିଁ , ଯାହା ପ୍ରିଣ୍ଟ୍ ଅଛି ସେୟା ରଖ | ବହିବାଲା ଟିକେ ଅସମଞ୍ଜସରେ ପଡିଲା ଆଉ ମୋତେ ପଚାଶ ଟଙ୍କା ଫେରାଇବାକୁ ତାକୁ ପାଖ ଷ୍ଟେସନାରୀ ଦୋକାନୀ ପାଖରେ ଶହେ ଟଙ୍କିଆଟିକୁ ଭାଙ୍ଗିବାକୁ ପଡିଲା | ନିଜର ଅସହାୟତାକୁ ଲୁଚେଇବାକୁ ସେ ଶୁଖିଲା ହସ ହସି କହିଲା, ଆଜ୍ଞା ! ଆଜି ଦୋକାନ ଖୋଲୁ ଖୋଲୁ ଟିକେ ଡେରି ହୋଇଗଲା ତ, ତେଣୁ ବହିନି ହୋଇନି | ମୁଁ ସବୁ ବୁଝିପାରୁଥିଲି | ଫୁଟପାଥ୍ କଡର ଏ ସାଉଁଟା ଜୀବନ ଯେ କେତେ ଦୟନୀୟ ସେକଥା କେବଳ ସେ ହିଁ ଅନୁଭବ କରୁଥିବ.......|


ରଚନା : ପ୍ରମୋଦ କୁମାର ପଣ୍ଡା

ଠିକଣା : ବାଘମାରୀ, ଖୋରଧା ଦୂରଭାଷ : ୯୯୩୭୬୫୨୯୪୧