ଚହଟଚିକ୍କଣ କାଳିଆ ବଦନ
ଚକାଆଖି ମେଲି ଚାହିଁଛୁ,
ନ ଶୁଣି ମୋ ଦୁଃଖ କରୁଛୁ ନିରକ୍ଷ
ବଙ୍କା ଅଧରରେ ହସୁଛୁ ।
ଜୀବନ ଜଞ୍ଜାଳ ହେଲା ଅସମ୍ଭାଳ
ଭୁଲିଲି ଭଜନ ଜଣାଣ,
ସତ କହ ହରି କି ଲାଭ ତୋ‌ହରି
ଦେଉଛୁ ଏଭଳି କଷଣ ।
କଷ୍ଟ ଭୋଗିବାରେ ନାନା ଅବତାରେ
ତୋଠାରୁ କିଏ ସେ ବଳିବ,
ଜନ୍ମି ରାଜବଂଶେ ରହିଛୁ ପ୍ରବାସେ
ଭୋଗି ସ୍ନେହ ପ୍ରେମ ଅଭାବ ।
ସେଥିପାଇଁ ଯଦି ଦାଉ ଦୁଃଖ ଲଦି
ପରଖୁଛୁ ପଣ ସହିବା,
ନାହିଁ ମୋ ଆପତ୍ତି ସହି ଛାତି ପାତି
ସମୟକୁ ଟାକି ରହିବା ।
ତୋ ଆଶ୍ରା ରେ ଅଛି ଶ୍ରୀମୁଖ ଚାହିଁଛି
ସ୍ରବିବ କାଣିଏ କରୁଣା,
ମନା କରିବୁନି କୋଳେ ନେବୁ ଟାଣି
ଅନ୍ତଃ କାଳେ ଏ ମୋ କାମନା ।

Writer's Details: ଘନଶ୍ୟାମ ସାହୁ,ବଇଣ୍ଡା ,ଅନୁଗୋଳ
ସହ-ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ଜିଲ୍ଲା ---- ଅନୁଗୋଳ, ମୋବାଇଲ ନମ୍ବର -- ୭୯୭୮୦୫୭୬୯୫
Content Category:
Submission Date: Sep 19, 2019