ଶ୍ୟାମ ନାଗରଙ୍କୁ ବାରତା କହିବ
କାଲିଠାରୁ ମୋତେ ଜର ,
ସବୁ ଉପଚାର ବିଫଳ ହେଲାଣି
ନିଃଶ୍ୱାସ ଛୁଟୁଛି ଖର ।

ମୋତେ କିମ୍ପା ସିଏ ହତାଦର କରି
ଗଲେ ଚନ୍ଦ୍ରାବଳୀ କୁଞ୍ଜେ ,
ସେଇ କଥାକୁ ମୁଁ ଗଣ୍ଠି କରି ଅଛି
ଅନ୍ନ ଜଳ ହିଁ ନ ଭୁଞ୍ଜେ ।

ମନ ପ୍ରାଣ ସବୁ ତାଙ୍କୁ ହିଁ ଦେଇଛି
କପଟ ନ ରଖି ଚିତ୍ତେ ,
ସିଏ କାହିଁପାଇଁ ବିଶ୍ୱାସକୁ ଭାଙ୍ଗି
ପ୍ରତାରଣା କଲେ ମୋତେ !!

ଦେଖା ହେଲେ ଭାରି ମିଠା କଥା କହି
ମନକୁ ଭୁଲାନ୍ତି ମୋର ,
ଏତେ ଦିନକେ ମୁଁ ଚିହ୍ନିଲି ତାହାଙ୍କୁ
ସିଏ ବଡ଼ ଦଗାଦାର ।

ସେଇଦିନ ମୁହିଁ ନିଉଛାଳି ହୋଇ
କହିଥିଲି କେତେ କରି ,
ମୋହ ଠାରୁ ନାଥ ମୁହଁ ଫେରାଇଲେ
ରହିବିନି ଦେହ ଧରି ।

ତଥାପି ମୋ ସହ ଛଳ ଆଚରିଲେ
ସେଥିପାଇଁ ଚିନ୍ତାଜର ,
ପଚାରିବ ତାଙ୍କୁ ଆଗୁଁ ସେ ଏଭଳି
ଭଣ୍ଡିଛନ୍ତି କେତେଥର !!

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।