ତୁମେ ଦ୍ଵାରିକାଧୀଶ ହୋଇ
ପାଗଳ ପରି ଦୌଡୁଥିଲ
ପାଛୋଟିବାକୁ ନିଃସ୍ୱ ଅନ୍ତରଙ୍ଗ ସୁଦାମା ସାଥିକୁ
ତୁମେ ମାୟାବୀ କୃଷ୍ନ ହୋଇ
ପଛେଇବି ନ ଥିଲ
ଶୋଷିବାକୁ ପାପିଷ୍ଟ ମାମୁଁ କଂସର ପାପିଳ ଜୀବନ
ତୁମେ ବି କଳା କହ୍ନେଇ ହୋଇ
ହେଇଥିଲ ମା ଯଶୋଦାଙ୍କ ନେତ୍ରପିତୁଳା
ଆଉ ଗୋପୀଙ୍କ ହୃତ୍ ସ୍ପନ୍ଦନ
ହେଲେ କଣ କରିଥିଲା ବିଚାରୀ ଦେବକୀଟା
ଜନ୍ମଦେଇ ଝୁରି ଝୁରି ଜଳି ଜଳି ପାଲଟିଥିଲା ମୁଠାଏ ପାଉଁଶ ।

ତୁମେ ଧର୍ମର ପୂଜାରୀ ହୋଇ
ଅନୁଷ୍ଠାନ କରିଥିଲ
ଧର୍ମ ମହାଭାରତ ଯୁଦ୍ଧ
ତୁମେ ନ୍ୟାୟର ବିଚାରପତି ହୋଇ
ସଜାଇଥିଲ ଗାନ୍ଧାରୀକୁ 
ଶତ ପୁତ୍ର ମୃତ୍ୟୁର ଶୋକାତୁରା ଅନାଥିନୀ 
ତୁମେ ବି ପୁଣ୍ୟର ପତାକା ଉଡାଇବା ପାଇଁ
ସମାଧି ଦେଇଥିଲ
କେତେ ଯେ ଧର୍ମଦ୍ରୋହୀ ଅନାର୍ଯ୍ୟଙ୍କୁ
ହେଲେ ଭୁଲି ନଥିଲ ରଖିବାକୁ
ସଖା ଯାଜ୍ଞସେନୀର ମାନସମ୍ମାନ
ଆଉ ଭଉଣୀ ସୁଭଦ୍ରାର ରାକ୍ଷୀର ମୂଲ୍ୟ ଦେବାକୁ
ପାର୍ଥକୁ ସାରଥୀ ରୂପେ ଦେବାକୁ ଦୁର୍ଲଭ ଗୀତାଜ୍ଞାନ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର