ଏଇ ଦେଖ ମୋ ସ୍ୱାଧୀନତା କୁ
ବାସ୍ତରୀ ବର୍ଷ ପୁରିଛି
ଦୋକାନ ବଜାର ଅଟୋ ରିକ୍ସା ରେ
ତ୍ରିରଙ୍ଗା କେମିତି ଉଡ଼ୁଛି ll

ପରାଧୀନ ମୋର ଯେତକ ଜନତା
ସ୍ୱାଧୀନତା ମଜା ଚାଖୁଛି
ମନ ଆନନ୍ଦରେ କିଏ କେମିତିକା
ଅଗଷ୍ଟ ପନ୍ଦର ପାଳୁଛି ll

ପତାକା ଲଗାଇ ସ୍ୱାଧୀନ ସତୁରା
ଚାଉଳ ତେଲରେ ଜିରା ଫୁଟଣ ରେ
ସ୍ୱାଧୀନତା ପାଇ ଖୁସିରେ
ଭେଜାଲ କରୁଛି ରାତାରାତି କୋଠା ପିଟୁଛି
ସ୍ୱାଧୀନତା ମଜା ଚାଖୁଛି ll

ପତାକା ଲଗାଇ ଡାଇଭର ବାବୁ
ସ୍ପିଡ଼ ବଢ଼ାଇ ଚାଲିଛି
ସ୍ୱାଧୀନତା ପାଇ ବିଚରା ବୁଢ଼ାକୁ
କେମିତି ଚାପିକି ମାରିଛି
ସ୍ୱାଧୀନତା ମଜା ଚାଖୁଛି ll

ମନ୍ଦିର ଉପରେ ଜାତୀୟ ପତାକା
ଦେଉଳ ଭିତର ଏକବାର ଫାଙ୍କା
ସ୍ୱାଧୀନତା ପାଇ ଜଟିଆ ନନାଟା
ଗଂଜେଇ ଚଢେଇ ଶୋଇଛି
ସ୍ୱାଧୀନତା ମଜା ଚାଖୁଛି ll

କୋଚିଂ ସେଣ୍ଟରେ ଜାତୀୟ ପତାକା
ଯେଣେ ସିଏ ପରୁଥାଏ ଡକା
ଡକା ଶୁଣି ଆମ ସ୍ୱାଧୀନ ଶିକ୍ଷକେ
ପାଠ ଦେଇ ପଇସା ପାଇଁକି ଧାଇଁଛି
ସ୍ୱାଧୀନତା ମଜା ଚାଖୁଛି ll

ନର୍ସିଙ୍ଗହୋମରେ ଜାତୀୟ ପତାକା
ରୋଗ ଜାଣିବା ଆଗରୁ ପଇସା ତୁ ପକା
ସ୍ୱାଧୀନତା ପାଇ ବଇଦ
ରୋଗୀର ପଇସା ମୁଣିକି ଝାମ୍ପୁଛି
ସ୍ୱାଧୀନତା ମଜା ଚାଖୁଛି ll

ପତାକା ଲଗାଇ ଗଭମେଣ୍ଟ ଅଫିସରେ
ପିଅନ ଗଲାଣି କୋଉ କାଳୁ ଘରେ
ସ୍ୱାଧୀନତା ପାଇ କର୍ମଚାରୀ ଆମ
ଯିଏ ଯାହାଘରେ ଶୋଇଛି
ଯାହାହଉ ଛୁଟି ଟାଏ ତ ମିଳିଛି ll

ବାଇକ ଆଗରେ ଜାତୀୟ ପତାକା
ମୋରି କୋଳର ଜବାନ ଟୋକା
ମୋବାଇଲରେ ହାପି ଅଗଷ୍ଟ ପନ୍ଦର ପାଳୁଛି
ଗଞ୍ଜିରେ ଶାନ୍ତି କପୋତ ଉଡ଼ୁଛି
ସ୍ୱାଧୀନତା ମଜା ଚାଖୁଛି ll

ପତାକା ଲାଗିଛି ପାର୍ଲର ରେ
ଅଫର ଅଛି ଫେସିଆଲ ସାଥେ କଟିଙ୍ଗ ଫ୍ରି
ଖବର ପାଇ ଏ ସ୍ୱାଧୀନ ରମଣୀ
ସେଇଠି ଲାଇନ କରିଛି
ସ୍ୱାଧୀନତା ମଜା ଚାଖୁଛି ll

ମଦ ଦୋକାନରେ ଜାତୀୟ ପତାକା
ସଞ୍ଜ ବୁଡ଼ୁ ବୁଡ଼ୁ ତା ଦୋକାନ ଫାଙ୍କା
ସ୍ୱାଧୀନ ସୁରିଆ ମନେ ଭାଳୁଅଛି
ଦିନଟା ବର୍ଷ କୁ ଥରେ କିଆଁ ଆସୁଛି
ସ୍ୱାଧୀନତା ମଜା ଚାଖୁଛି ll

ହାଇକୋର୍ଟ ପରେ ଜାତୀୟ ପତାକା
ନିର୍ଦୋଷକୁ ଦଣ୍ଡ ଏଇ କଥା ପକ୍କା
ଦୋଷୀ ସ୍ୱାଧୀନତା ପାଇ ସ୍ୱଗର୍ବେ ପଦାରେ ବୁଲୁଛି
ଜଜ ଓକିଲ ପକେଟ ଭରୁଛି
ସ୍ୱାଧୀନତା ମଜା ଚାଖୁଛି ll

ଦଳ ଅଫିସରେ ଉଡ଼ାଇ ପତାକା
ଧୋବ ଧାଉଳିଆ ନେତା ସତେକା
ଦେଶ ଦଶ ଲାଗି ଜୀବ ତ୍ୟାଗୁଛି
ଭାଷଣ ମରାଟି ଶିଖିଛି
ଭୋଜିଟା ଜମେଇ ହେଇଛି
ସ୍ୱାଧୀନତା ମଜା ଚାଖିଛି ll

ବସ୍ତି ମଝିରେ ପତାକା ତୋରଣ
କେତେ ଖାଦ୍ୟ ପୁଣି ବସ୍ତ୍ର ବିତରଣ
ସ୍ୱାଧୀନ ଗରିବ ଆଜିତ ମୁଠାଏ ଖାଉଛି
କାଲିକି କେ ତାକୁ ଚି଼ହ୍ନଛି
ସ୍ୱାଧୀନତା ମଜା ଚାଖୁଛି ll

ସେଦିନ ତ୍ୟାଗକୁ ଏଦିନ ଭୋଗକୁ
ନୀରବେ ମୁଁ ଏକା ଦେଖୁଛି
ପଦବନ୍ଦନା କି ପଦାଘାତ ସିଏ
ବରଷକ ଯାକ ଚିନ୍ତୁଛି
ଡର ଲାଗେ ପୁଣି ଅଗଷ୍ଟ ପନ୍ଦର ଆସୁଛି

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ କଟକ
ଦୂରଭାଷ 9078579612