ଆହେ ଲୀଳାମୟ ପରମ ଈଶ୍ଵର 
ପରମବ୍ରହ୍ମ ପରାତ୍ପର
ତୁମେ ପୂର୍ଣ୍ଣ ସତ୍ୟ ନିତ୍ୟ ଚିରନ୍ତନ
ବ୍ୟାପ୍ତ ସର୍ବ ଚରାଚର ୲୲

କରି କରାଉଛ ସବୁ ପରା ତୁମେ
ନିମିତ୍ତ ଛାର ଜୀବନ
ତୁମରି ସର୍ଜନା ସସାଗରା ଧରା
ମାୟାରେ ସବୁ ଆଚ୍ଛନ୍ନ ୲୲

ସାରା ସଂସାରକୁ ଚଳାଉଛ ତୁମେ
ମୋହର ଫାଶରେ ଛନ୍ଦି
ତୁମ ଲୀଳା ଏକା ତୁମକୁ ଗୋଚର
ସବୁତ ମାୟାରେ ବନ୍ଦୀ ୲୲

ଏ ଜୀବନ ପଥେ ମୋ ଶରୀର ରଥ
ତୁମରି ଆଦେଶେ ଗଡ଼େ
ରାତ୍ରୀ ଅବସାନେ ଦିବସ ଆରମ୍ଭେ
କର୍ମର ମାର୍ଗରେ ବଢେ ୲୲

କଣ୍ଟକରେ ଭରା ଚତୁର୍ଦ୍ଦିଗ ମୋର
ପାଦେ ପାଦେ ଖାଲ ଢିପ
ସବୁ କଷ୍ଟ ସହି ଜୀବନ ଜୀଉଁଛି
ଅସ୍ତିତ୍ବ ହୋଇନି ଲୋପ ୲୲

ଭାଗ୍ୟେ ଲେଖା ଯାହା ଭୋଗିବି ଅବଶ୍ୟ
ନାହିଁ ମୋର ନିଜ ଇଚ୍ଛା
ତୁମରି କରୁଣା ଲୋଡ଼ା ଖାଲି ପ୍ରଭୁ
ପୂର୍ଣ୍ଣ କର ମନ ବାଞ୍ଛା ୲୲

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Aug 12, 2019