ରକ୍ଷା ବନ୍ଧନ - ହାସ୍ୟମୟୀ ରାଜ୍

0

ଶ୍ରାବଣ ପୂର୍ଣ୍ଣିମା ଆସେ 
ହୃଦୟକୁ ଉଦ୍ ବେଳିତ କରି
ଭାଇ ପାଇଁ ଭଉଣୀର
କେତେ ଆଶା, ଆଶ୍ୱସନା
ପ୍ରେମ ପ୍ରୀତି ସଂପର୍କର
ମଧୁ ପଡେ ଝରି  ।

ତୋଳୁଥାଏ ଅନାବିଳ
ସଂପର୍କର ସୂତ୍ରଟିଏ
ଭାଇ ଭଉଣୀର
କହୁଥାଏ କାନେ କାନେ
ସଂପର୍କର ମାନେ ନୁହେଁ
କେବଳ ରକ୍ତର,
ଇଏ ଏକ ଅତୁଟ ବନ୍ଧନ
ହୃଦୟ ଓ ଆତ୍ମାର ।

ଭାଇ ହାତେ ଭଉଣୀ ଟି
ବାନ୍ଧିଦିଏ ରାକ୍ଷୀ
ସାମନ୍ୟ ନୁହେଁ ସିଏ ଅସାମାନ୍ଯ
ଭାଇ ପାଇଁ ଭଉଣୀର
ସୁରକ୍ଷା କବଚ
ପବିତ୍ର ଭାବର ବନ୍ଧନ ।

ପୁରାଣରୁ ଇତିହାସ ଯାଏ
ଯାର ହୁଏ ଗୁଣଗାନ
ଯୁଗେ ଯୁଗେ ଭାଇ ସାଜେ
ଭଗ୍ନି ପାଇଁ ସୁରକ୍ଷା ବଳୟ
ଭଗ୍ନୀ ପୁଣି କହୁଥାଏ ମନେ ମନେ
ଭାଇ ତାର ହେଉ ଜିତେନ୍ଦ୍ରିୟ ।

ଭାରତୀୟ ପରଂପରାର ଏ
ମହାନ ଦର୍ଶନ
ଆଜି ବି ଗୁଞ୍ଜରିତ କାନେ କାନେ
କୃଷ୍ଣ ଆଉ ଦ୍ରୌପଦୀଙ୍କ
ସେଇ ନିଦର୍ଶନ
ଯେଉଁ ସୂତ୍ର ଦିନେ
ପାଲଟିଲା କୋଟି ବସ୍ତ୍ର ହୋଇ
କୁରୁ ସଭାସ୍ଥଳେ
ରକ୍ଷା କଲା ମାନ ।

ଇତିହାସ ଆଜି ମୁକ୍ତ କଣ୍ଠରେ
କରୁଛି ନିର୍ଘୋସ
ଆଲେକ୍ଜାଣ୍ଡାର ପତ୍ନୀଙ୍କର
ପୁରୁ ହସ୍ତେ ରାକ୍ଷୀର ବନ୍ଧନ
ରାଣୀ କର୍ଣ୍ଣାବତୀ ପୁଣି ହିମାୟୁନ 
ଅନନ୍ୟ ଜ୍ୱଳନ୍ତ ଚିତ୍ର
ଉଦ୍ଭାସିତ ହୁଏ
ଲକ୍ଷ୍ମୀବାଈ ଠାରୁ ପୁଣି ମହାଲକ୍ଷ୍ମୀ ଯାଏ
ସେଇ ଶ୍ରଦ୍ଧା ସୂତ୍ର
ତା'ର ଜୟଗାନ  ।

ଆଜି ବି ଶେଷ ହୋଇନାହିଁ
ସେଇ କାହାଣୀର
ମହାନ ସଂପର୍କ
ପୁଣି ଭାଇ ଭଉଣୀର
ଯାହା ଭରୁଥାଏ ଶକ୍ତି
ତୋଳୁଥାଏ ଅପରୂପ
ଛନ୍ଦ ଜୀବନର
ଲାଗୁଥାଏ ସରଗଟା ଅଜାଣତେ
ଆସିଛିକି ଏଇ ମର୍ତ୍ତ୍ୟପୁର ।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।।
Content Category:
Submission Date: Aug 11, 2019

Post a Comment

0Comments
Post a Comment (0)