କଥାରେ ଅଛି 'ଅନୁଭବୀ ହିଁ କହେ ଅନୁଭବର କାହାଣୀ' ଏବଂ ଜଣେ ଲେଖକକୁ ଅନୁଭବୀ କହିଲେ କିଛି ଭୁଲ ମଧ୍ୟ ହେବନାହିଁ କାରଣ ସେ ପ୍ରକୃତରେ ଅନୁଭବର ଭଣ୍ଡାର ଅଟେ । ଜଣେ ଲେଖକ ଭାବେ ଆଜି ପର୍ଯ୍ୟନ୍ତ ଯାହାବି ଲେଖିଛି ସବୁ ଅନୁଭବର କାହାଣୀ କେବଳ, ଆଉ ଏସବୁର ଶ୍ରେୟ ମୋ ମନ ଯେତିକି ପାଇବ ସେତିକି ଶ୍ରେୟ ମୁଁ ମୋ କଲମକୁ ମଧ୍ୟ ଦେବି।


କିଏ କଲମକୁ ଅଶାର ବାଡ଼ି କହେ ତ କିଏ ଏକ ଯନ୍ତ୍ର ମଧ୍ୟ କହିପାରେ ମୋ ପାଇଁ ଏହାତ କେବଳ ଏକ ମାଧ୍ୟମ ଯିଏ କି ମୋ ହୃଦୟର କଥାକୁ ଧଳା ରଙ୍ଗର କାଗଜରେ ଆଙ୍କି ଦିଏ, ନାଁ କେବେ ଥକିପଡ଼େ ନାଁ କେବେ ସେ ହାରେ । ମୋର ଏ କଲମ ଓ ମୋ ହୃଦୟ ଦୁହିଁଙ୍କ ମଧ୍ୟରେ ରହିଛି ଏକ ନିବିଡ଼ ସମ୍ପର୍କ ଏବଂ କଲମଟି ମୋର ମଧ୍ୟ ହୃଦୟର କଥାକୁ ବୁଝିବାରେ ଏକଦମ ପାରଙ୍ଗମ ।

ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ସେ କଥା ସ୍କୁଲ ସମୟର ହେଉ ବା ଚାକିରୀର ସବୁବେଳେ ପୋଷାକର ବାମ ପଟେ ରହିଥାଏ ସେ ଏବଂ ହୃଦୟର ଧକ ଧକ ଶବ୍ଦକୁ ଶୁଣି ଲେଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥାଏ । କେତେବେଳେ ସୁଖରେ ବିଭୋର ହୋଇ ତ କେତେବେଳେ କଷ୍ଟ ଯନ୍ତ୍ରଣାକୁ ହଜମ କରିବା ପାଇଁ କଲମ ମୋର ଲେଖିବାକୁ ସାହାଯ୍ୟ କରେ ମତେ, ଅନେକ ଥର ମଧ୍ୟ ଆଖିର ଲୁହ ତା ଉପରେ ପଢ଼ିଛି ଏବଂ ସେ ସବୁର କାରଣ ତାକୁ ଅଜଣା ନୁହେଁ ସବୁକିଛି ଜାଣେ ସେ । ଜୀବନର ବିରାଟ ଶୂନ୍ୟସ୍ଥାନ ତା ପାଇଁ ପୂର୍ଣ୍ଣ ହୋଇଛି।

ମୋ ଜୀବନର ଚଲାପଥର ମୋ ବନ୍ଧୁ, ମୋ ସାରଥୀ ବା ମୋ ଆତ୍ମା ସେହି କଲମ , ଯାହାର ସ୍ଥାନ ଆଉ କେହିବି ନେଇ ପାରିବେ ନାହିଁ।ତେଣୁ ତାକୁ ମୋ ହୃଦୟର ପ୍ରତିଛବି ବୋଲି ମୁଁ ଭାବି ସାରିଛି । 


Writer's Details: ରଶ୍ମି ରଞ୍ଜନ ନାୟକ
Content Category:
Submission Date: Aug 13, 2019