ଧନ୍ୟ ସେହି ଯୋଗଜନ୍ମା - ସଂଯୁକ୍ତା ରାଉତ

0

ସୃଷ୍ଟିର ନିୟମ ଅତିବ ବିଚିତ୍ର 
ଦାରୁଣ ନିୟତି ଖେଳ
ବାଛି ବାଛି ସବୁ ନେବ ପାଖେ ଡାକି
ବଡ଼ ନିଷ୍ଠୁର ସେ କାଳ ୲୲

ଜନ୍ମ ଆଉ ମୃତ୍ୟୁ ସତ୍ୟ ଚିରନ୍ତନ
ଜନ୍ମ ଥିଲେ ମୃତ୍ୟୁ ଅଛି
କେ ଜାଣିଛି କାର କେତେବା ଆୟୁଷ
ଭାଗ୍ୟେ କିବା ଲେଖା ଅଛି ??

ଘଡିକରେ ଏଠି ଘୋଡ଼ା ଛୁଟେ ପରା
ନାହିଁ ଏଥି କାହା ହାତ
ଦେବ କି ଦାନବ ଅବା ହେଉ ନର
କାଳ ଫାଶେ କବଳିତ ୲୲

ସୁଷମା ସ୍ଵରାଜ ଏ ଦେଶ ଗୌରବ
ଆମ ଶ୍ରେଷ୍ଠ ନାରୀ ନେତ୍ରୀ
ବିଜେପି ବରିଷ୍ଠ ତଥା ପୂର୍ବତନ
ଥିଲେ ବୈଦେଶିକ ମନ୍ତ୍ରୀ ୲୲

ଅପୂର୍ବ ତାଙ୍କର ସାହସ ବୀରତ୍ଵ
ରାଣୀ ଲକ୍ଷ୍ମୀବାଇ ସମ
ରାଜନୀତି ଜ୍ଞାନେ ସୁଦକ୍ଷ ପ୍ରବୀଣା
ପଦ ପଦବୀରେ ନାମ ୲୲

ସିଦ୍ଧହସ୍ତା ସିଏ କର୍ମ କାର୍ଯ୍ୟେ ପରା
ସଦା ବିଜୟ ମଣ୍ଡିତା
ବିଫଳତା ତାଙ୍କୁ ପାରିନାହିଁ ଛୁଇଁ
କର୍ମେ ନୁହଁନ୍ତି ନିନ୍ଦିତା ୲୲

ପ୍ରଚଣ୍ଡ ପ୍ରତିଭା ଅଧିକାରିଣୀ ସେ
ଥିଲେ ସୁବକ୍ତା ସୁନେତ୍ରୀ
କର୍ମ ପୂଜାରିଣୀ ହୋଇଗଲେ ଆଜି
ଚିର ମୃତ୍ୟୁପଥ ଯାତ୍ରୀ ୲୲

ହୃଦ ଘାତେ ଆକ୍ରାନ୍ତ ପାଇ ବହୁ କଷ୍ଟ
ଅକାଳେ ବିୟୋଗ ଲେଖା
ବିଚ୍ଛେଦରେ ତାଙ୍କ ଏ ସାରା ଭାରତ
ହୃଦୟେ ଦୁଃଖର ରେଖା ୲୲

ଆକାଶ ବି ଆଜି ଢାଳୁଛି ଲୋତକ
ଦୁଃଖେ ହୋଇ ମ୍ରିୟମାଣ
ଅଳିକ କ୍ଷଣିକ ମାନବ ଜୀବନେ
ସେହି ଯୋଗଜନ୍ମା ଧନ୍ୟ ୲୲

ଅଶ୍ରୁଳ ନୟନେ ଢାଳୁ ଶ୍ରଦ୍ଧାଞ୍ଜଳୀ
ବ୍ୟଥିତ ସବୁରି ମନ
ସଦ୍ଗତି ଲଭନ୍ତୁ ସେ ଅମର ଆତ୍ମା
ପ୍ରଭୁ ପାଦେ ନିବେଦନ ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Aug 12, 2019

Post a Comment

0Comments
Post a Comment (0)