ମାଆର ମମତା ବୁଝିମୁଁ ପାରୁଛି
ତୋ କୋଳେ ଜନମ ହୋଇ
ମାଆ ମାଆ ବୋଲି ଡାକିବା ପାଇଁକି
ଧରାକୁ ଆସିଲି ଧାଇଁ ।
ବିଦ୍ଯାଶିକ୍ଷା ଦେଲୁ ମଣିଷ କରିଲୁ
ତୋକଥା ବୁଝିବା ପାଇଁ
ବୁଝି ମୁଁ ପାରୁନି ତୋ କଥାକୁ ମାଆ
ଦୁଃଖତ ଆସଇ ଧାଇଁ ।
ଶିକ୍ଷାଲାଭ କଲି ଚାକିରୀ କରିଲି
ରହିଲି ଗାଆଁରୁ ଦୂରେ
ମାଆ ମୋର ଘରେ ରହିଲା କିପରି
ଭାବିନି କେବେ ମନରେ ।
ମନେପଡେ ଯେବେ ମାଆ କଥା ମୋର
ନୟନୁ ବୁହଇ ନୀର
ଚାକିରୀ ଭାରିଜା ଦୁଇପାଖେ ଛିଡା
କାହାକୁ କରିବି ପର ।
କହିଲି ଦିନେ ମୁଁ ଭାରିଜାକୁ ମୋର
ଗାଆଁକୁ ଯିବା ଏଥର
ଭାରିଜା କହିଲା ବେଳନାହିଁ ମୋର
ସନ୍ଧ୍ୟାକୁ ଯିବି ପାର୍ଲର ।
ପରଦିନ ପୁଣି କହିଲି ତାହାଙ୍କୁ
ହୁଅ ତୁ ବେଗେ ବାହାର
ମାଆ ମୋର ଘରେ ଜ୍ବରରେ ପଡିଛି
ଦେଖିବା ଯାଇ ସତ୍ବର ।
ଏକଥାକୁ ଶୁଣି ଭାରିଜା ମୋହର
କାନ୍ଦିଲା ନାକ ଅଗର
ଏକମାସ ହେଲା ଯାଇନି ସିନେମା
ସନ୍ଧ୍ୟାକୁ ଟିକଟ କର ।
ପୁଅ ପୁଅ ବୋଲି କାନ୍ଦି କାନ୍ଦି ମରେ
ବୁଢୀ ମାଆଟି ମୋହର
ଧନ୍ଯ ଚାଣ୍ଡାଳୁଣୀ ଭାରିଜା ତୁ ମୋର
କରିଛୁ ମୋତେ ଚାକର ।
ପାରୁନାହିଁ ବୁଝି ମାଆର ମମତା
ନାରୀ ଏ କଳିଯୁଗର
ଛିଡି ପଡିବକି ଛାତିରେ ତାହାର
ଆକାଶ ପରି ପଥର ।
ଏହିଭଳି ନାରୀ ସଂସାରେ ଯେତେକ
ଦେଇଛ ହେ ପ୍ରଭୁ ଭରି
ଦିଅ ଅଭିଶାପ ଆହେ ମହାପ୍ରଭୁ
ଯାଆନ୍ତୁ ସମସ୍ତେ ମରି ।
ନାରୀ ପାଇଁ ଦିନେ ମହାପ୍ରଭୁ ତୁମେ
ଖଣ୍ଡିଆ ରୂପକୁ ଧରି
ବିଜେ କରିଅଛ ବଡ଼ଦେଉଳରେ
ନାରୀ ମାଡଖିଆ ହରି ।
ସାହସ ଅଛିତ ଅଭିଶାପ ଦିଅ
ନହେଉ ପୁତ୍ର କାହାରି
ତୁମେ ମହାବାହୁ ଶଙ୍ଖଚକ୍ରଧାରୀ
ବିଶ୍ବ ବିହାରି ଯେ ହରି ।।
ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦
ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦
0 Comments
You can write now your valuable comments here. Off-topic comments may be removed or deleted without prior notice.