କୁକୁଡା ଡାକରେ ସୂର୍ଯ୍ୟ ଉଏଁ
ଭି଼ଡିମୋଡି ହୁଏ ବଣଜଙ୍ଗଲ
ଛିଣ୍ଡାପଟିଆଉପରୁ ଆଖିମେଲି ଚାହେଁ
ଭୋକିଲା ପେଟର ଚିତ୍କାର ।

ଭଂଗାକୁଡିଆର ଚାରିକାନ୍ଥଭିତରେ
କିଛିଗୋଟେ ଅଣ୍ଡାଳୁଥାଏ
ଚମ ଧୁ଼ୁଡୁ ଧୁଡୁ ଶିରାଳ ହାତ
ବଂଚିବାକୁ ଅବଶିଷ୍ଟ ଆୟୁଷ
କାହାକୁ ବି ଜଣା ନଥାଏ
ଜଳିବ କି ନା ଚୁଲି
ମିଳିବ କି ନା ପେଟକୁ ମୁଠାଏ ଭାତ ।

ଆଖିକୁ ଭଲ ଦିଶୁ ନ ଥିବା ଜରାଜୀର୍ଣ୍ଣ
ଜୁଆଙ୍ଗ ବୁଢା ବୁଢୀ ଦୁଇଟା
ଚଢୁଥାନ୍ତି ପାହାଡର ଶିଖର
ବଣପାହାଡ ବୁଲି ଦରାଣ୍ଡି ଆଣିବାକୁ
ମହୁ,ମହୁଲ,ଝୁଣା,ବାଉଁଶ,ଲାଖ,ଶାଳପତ୍ର,
ପାଚିଲା କେନ୍ଦୁ,ଜାମୁ,ପାଣିଆଳୁ,ପିତାଳୁର ସମ୍ଭାର ।

ଦଶ ବାର ବରଷର ଅଧଲଙ୍ଗଳା ପିଲା ଦୁଇଟା
ସହର୍ଷେ ମୁହଁରେ ସିସ୍ କାରୀ ବଜାଇ
ଛେଳିପଲ ପଛେ ପଛେ ପଶୁଥାନ୍ତି ଜଙ୍ଗଲ
ଗଛଲତାର ସବୁଜ ପତ୍ରରେ
ବିଛୁରୀ ପଡୁଥାଏ ସୂର୍ଯ୍ୟଙ୍କ କିରଣ
ବହୁଥାଏ ପାହାଡି ଝରଣା
ଗାଉଥାଏ ଆଦିମ ସ୍ବନ ।।

Writer's Details: ଘନଶ୍ୟାମ ମହାନ୍ତ
କରଦାଙ୍ଗୀ, ତେଲକୋଇ  କେନ୍ଦୁଝର-758019
ମୋ-8917267702
Content Category:
Submission Date: Aug 16, 2019