ମୁହୁର୍ତ୍ତ ଆସେ ପୁଣି ଯାଏ
ସ୍ମୃତିର ସଜଳ ଅନୁଭବ ଗୁଡାକ
ଆଙ୍କିଦେଇଯାଏ ମନର
ନିଭୃତ ଗୁହାରେ
କେତେବେଳେ ଲୁହରେ
ବତୁରେଇ ଦିଏ
ହୃଦୟର ପ୍ରତି ଅନୁକୋଣ
କେତେବେଳେ ହସର ଜୁଆର
ଖେଳେଇ ତୃପ୍ତ କରେ ପ୍ରାଣ।
ସେଇ ମୁହୂର୍ତ୍ତ କେବେ
ଅନ୍ଧକାର ଅନ୍ଧ ଗଳିରେ
ହଜେଇ ଦିଏ
ମଣିଷ ଖୋଜି ପାଏନା
ଜୀବନର ଅର୍ଥ,
ସେଇ ମୁହୂର୍ତ୍ତ ପୁଣି କେବେ
ଜାଜୁଲ୍ୟମାନ ଚିତ୍ର ଆଙ୍କେ
ପାଇବାକୁ ସୁମହାନ୍ ପଥ।
ସେଇ ଟିକି ଟିକି ମୁହୂର୍ତ୍ତ
କେବେ ସୁଖଦ
କେବେ ଦୁଖଦ
ଯୋଡିଦିଏ ଜୀବନର
ସଫଳତାର ସଫେଦ୍ ଫର୍ଦ୍ଦ।
କେବେ ଅମାନିଆ ମୁହୂର୍ତ୍ତ
ଜାଳିଦିଏ ଜୀବନର ଲକ୍ଷ୍ଯ
କରି ପଥ ଭ୍ରଷ୍ଟ
ସେଇ ମୁହୂର୍ତ୍ତ ପୁଣି ଭରିଦିଏ
ଅସରନ୍ତି ଶକ୍ତି
ଆଲୋକର ଆଭା ବୁଣି
ଦୁଷ୍ପ୍ରାପ୍ୟକୁ କରିଦିଏ ପ୍ରାପ୍ଯ।
ଆମ ବିଶ୍ବାସର ବିସ୍ତୃତିରେ
ପ୍ରତିଟି ମୁହୂର୍ତ୍ତକୁ କରିବାକୁ
ହେବ ଦୁର୍ଲଭ, ଦୁର୍ମୂଲ୍ଯ
ତା ହେଲେ ଆମେ କେବେବି
ଦେଖିପାରିବାନି
ନିରାଶାର ସୂର୍ଯ୍ୟାସ୍ତ
ନିନାଦିତ ହେବ ଖାଲି
ଦିଗନ୍ତ ବିସ୍ତାରୀ
ଆଶାର ଶୁଭ୍ର ଶୁଭ ଶଙ୍ଖ
ଜୀବନକୁ କରି ଅପରୂପ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 18, 2019