ମଣିଷ ସମାଜ ବିନା ବଂଚିପାରିବ ନାହିଁ | ସେଥିପାଇଁ ସେ ପରିବାର ,ସାହି,ଗାଁ ଓ ଗୋଷ୍ଠୀ ଭିତରେ ରହି ଜୀବନ ଯାପନ କରୁଛି | ସମାଜ ବିନା ଯିଏ ବଞ୍ଚିପାରେ ସିଏ ହୁଏତ ମଣିଷ ହୋଇ ନ ପାରେ | ମଣିଷ ଏକାକୀ ବଂଚି ପାରିବ ନାହିଁ ବୋଲି ସମୂହ ଭିତରେ ରହିଛି | ସମାଜ ଓ ଗୋଷ୍ଠୀ ବିନା ମଣିଷ ଜୀବନର କିଛି ମାନେନାହିଁ | ଦୁନିଆର ସବୁ ଲୋକ ଗୋଟେ ସାମାଜିକ ପରିସର ଭିତରେ ବଂଚି ରହିବାକୁ ଯାହାନ୍ତି | ସମାଜ ଭିତରେ ରହି ମଣିଷ ନିଜକୁ ସୁରକ୍ଷିତ ମନେ କରିବା ସହ ନିଜର ସୁଖ ,ଦୁଃଖକୁ ବାଣ୍ଟି ଥାଏ | ସମାଜର ଭଲପାଇବା ଓ ସ୍ୱୀକୃତି ମଣିଷକୁ ଆଗକୁ ଯିବାକୁ ପ୍ରେରଣା ଦିଏ | ସମାଜ ଯଦି ମଣିଷ ପାଇଁ ଏକ  ଦର୍ପଣ ହୁଏ ତେବେ ତାହାରି ଭିତରେ ମଣିଷ ନିଜର ପ୍ରତିଛବି ଦେଖିବାକୁ ପାଏ |
     
ସମାଜ ଭିତରେ ରହି  ମଣିଷ  ଆତ୍ମୀୟତା ପାଇବା ସହ ଅନେକ କ୍ଷେତ୍ରରେ ସାହାର୍ଯ୍ୟ ଓ ସହଯୋଗ ପାଇ ନିଜ ଜୀବନରେ ଆଗକୁ ବଢିଥାଏ |  ଏ ସମାଜରେ କିଛି ଲୋକ ଅଛନ୍ତି ସେମାନେ  ନିଜ ବାହୁବଳ,ରାଜନୈତିକ ପତିଆରା ଓ ମୁଁହ ଫୁଟାଣି ଦେଖେଇ ସମାଜକୁ ଭୟଭୀତ କରାନ୍ତି | ନିଜ ସ୍ୱାର୍ଥ ସାଧନ ପାଇଁ ସେମାନେ ଦୁର୍ବଳ ଉପରେ ଅତ୍ୟାଚାର କରାନ୍ତି | ସମାଜରେ ନାନା ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି କରି ନିଜେ ଖୁସି ପାଉଥାନ୍ତି | ଦୁର୍ବଳ ଉପରେ ସବଳର ଅତ୍ୟାଚାର ଆବହମାନ କାଳରୁ ଚାଲି ଆସିଛି | ସେଥିପାଇଁ ଏ ବିଶ୍ୱ ଅନେକ ରକ୍ତପାତ ଓ ଯୁଦ୍ଧର ବିଭିଷୀକାକୁ ନିଜ ଇତିହାସ ଭିତରେ ବାନ୍ଧି ରଖିଛି | ସବୁ ଆଡେ ଶାନ୍ତିର କପୋତ ଉଡ଼ାଇବାର ପ୍ରୟାସ କରାଯାଉଛି କିନ୍ତୁ ବନ୍ଧୁକର ଗୁଳି ଶବ୍ଦ ଓ ରକ୍ତର ଛିଟାରେ ବିଶ୍ୱର ମାନଚିତ୍ର ଲାଲ ହେଉଛି |
      
ବିଶ୍ୱର ସ୍ୱାଧୀନ ଦେଶଗୁଡିକ ନିଜର ଏକ ଆଈନ ପରିସର ଭିତରେ ରହି ନିଜ ଦେଶର ଶାସନ ଚଳାନ୍ତି ଓ ଆନ୍ତର୍ଜାତିକ ଆଇନକୁ ସମ୍ମାନ ଜଣାନ୍ତି | କିନ୍ତୁ ଏହି ବିଶ୍ୱରେ ଅନେକ ଗୋଷ୍ଠୀ ଓ ଜାତିର ଲୋକ ଅଛନ୍ତି ସେମାନେ ଦେଶର ଆଇନକୁ ମାନନ୍ତି ନାହିଁ | ସେମାନଙ୍କର ଏକ ଅଲିଖିତ ସମ୍ବିଧାନ ଚାଲେ | ଗୋଷ୍ଠୀ କି ଜାତି ଯଦି କାଉକୁ ବଗ କହିଦେଲା ତେବେ ସେହି ଜାତିର ସବୁ ଲୋକ ତାହା ମାନିବାକୁ ବାଧ୍ୟ | ଯଦି କିଏ ଏହି ଆଇନକୁ ମାନିଲା ନାହିଁ ତେବେ ଗୋଷ୍ଠୀରୁ ଓ ଜାତିରୁ ଅନ୍ତର ହେବାକୁ ବାଧ୍ୟ ହେବ | ନ ହେଲେ ଦଣ୍ଡ ଭୋଗିବ | ଯଦି ଆହୁରି ଅମାନିଆ ହେଲା ତେବେ ମୃତ୍ୟୁ ଭୋଗିବ |
      
ଆମ ଦେଶରେ ମଣିଷ ଅନ୍ଧବିଶ୍ୱାସ ଭିତରେ ବାନ୍ଧି ହେଇ ଅନେକ ଲୋକଙ୍କ ଜୀବନକୁ ନର୍କ ଭିତରକୁ ଠେଲି ଦେଉଛି | ଅନେକ ପରିବାର ଉଜୁଡି ଯାଉଛି | କେତେ ନିରୀହ ଲୋକ ନିଜ ଜୀବନ ଦେଇ ସାରିଲେଣି ,ତଥାପି ଏ ମଣିଷ ସମାଜ ଅନେକ ଲୋକଙ୍କୁ ଡାହାଣୀ ସଜେଇବାକୁ ପଛାଉନାହିଁ | ଶିକ୍ଷାର ପ୍ରସାର ବଢିବା ସତ୍ୱେ ମଣିଷ ମନରୁ ଗୁଣିଗାରେଡି ପ୍ରତି ବିଶ୍ୱାସ କମୁ ନାହିଁ | ଏବବି ଗୁଣି ,ଗାରେଡିର ମାୟାରେ ମଣିଷ ବନ୍ଧାପଡିଛି | ଗାଁରେ ଅନେକ ଅସହାୟ ବୃଦ୍ଧାଙ୍କୁ ଡାହାଣୀ ସଜାଇ ହତ୍ୟା କରାଯାଉଛି | ପୁଣି ଗୁଣି ଗାରେଡିର ସନ୍ଦେହ ଭିତରେ ରହି ଅନେକ ପରିବାରକୁ ହତ୍ୟା କରା ଯାଉଛି ନଚେତ ସେମାନନ୍କୁ ନିଆଁ ପାଣି ଅଟକ କରାଯାଉଛି |ସମୂହ ତଥା ଗୋଟେ ଗାଁର ନିଷ୍ପତ୍ତି ପାଖରେ ଅସହାୟ ମଣିଷ ଓ ପରିବାରଟିଏ ହାରି ଯାଉଛି | ମୁଣ୍ଡ ପାତି ସମୂହର ତାଡନା ସହିବାକୁ ପଡୁଛି | କାହାକୁ ଗାଁରେ ଲଣ୍ଡା ହେଇ ବୁଲା ଯାଉଛି ତ ଆଉ କାହାକୁ ମଣିଷର ମଳ ଖାଇବାକୁ  ପଡୁଛି | ପୁଣି କୋଉଠି ଅତି ଅମାନବୀୟ ଭାବରେ ଅନେକ ଲୋକଙ୍କୁ ହତ୍ୟା କରାଯାଉଛି |ସେଠି ଦେଶର କୋଉ ଆଇନ କାମକରୁନି | କି ଦେଶର ଆଇନକୁ ସେତେବେଳେ କାହାର ଡର ରହୁନି |
     
ଆଗେ ଓଡ଼ିଶାର ଆଦିବାସୀ ବହୁଳ ଜ଼ିଲ୍ଲା ଗୁଡିକରେ ବେଶୀ ଗୁଣି ,ଗାରେଡିର ପ୍ରଭାବ ଦେଖିବାକୁ ମିଳୁଥିଲା | କିନ୍ତୁ ଏବେ ଉପକୂଳ ଓଡ଼ିଶାର ଗାଁ ଗୁଡିକରେ ଏସବୁ ଘଟଣା ଗୁଡିକ ବେଶୀ ଦେଖିବାକୁ ମିଳୁଛି | ଚୋର ଧରିବାକୁ ହେଲେ ଗାଁରେ ଖଟ ବୁଲାଇବା ଉପରେ ଏବେବି ଲୋକ ନିର୍ଭର କରୁଛନ୍ତି | ରୋଗ ହେଲେ କି ଘରେ କିଛି ଅସୁବିଧା ଉପୁଜିଲେ ମୂଳ କାରଣ ଗୁଡିକ ନଖୋଜି ଗୁଣିଆ ପାଖକୁ ଯାଉଛନ୍ତି |   ଏ ଦେଶ  ତଥା ଆମ ରାଜ୍ୟର ଗୁଣିଆ , ଭଣ୍ଡ ମାତା ଓ ବାବାମାନେ ଖୁବ ଚାଲାକ | ସେମାନେ ମଣିଷର ଦୁର୍ବଳତାର ଭଲ ଫାଇଦା ଉଠାଉଛନ୍ତି | ଆଜିର  ସ୍ମାର୍ଟ ଯୁଗରେ ବି ତାନ୍ତ୍ରିକ ,ଗୁଣିଆ ,ବାବା ଓ ମାତା ମାନଙ୍କ ଉପରେ ଲୋକ ମାନଙ୍କ ଅଖଣ୍ଡ ବିଶ୍ୱାସ ଆମ ଶିକ୍ଷା ଓ ଆଧୁନିକତାକୁ ଆଙ୍ଗୁଳି ନିର୍ଦେଶ କରୁଛି |
    
ଏଇ ନିକଟ ଅତୀତରେ ସାପ କାମୁଡ଼ାରେ ମରିଥିବା ଜଣେ ଲୋକ ମେଡିକାଲ ଶବ ଗୃହରେ ଥାଏ | ସେହି ଲୋକର ପରିବାର ଲୋକଙ୍କ ଗୁଣି ଉପରେ ଏତେ   ଭରସା ଯେ ସେମାନେ ଜଣେ ଗୁଣିଆକୁ ଡାକି ସେ ଲୋକ ବଂଚିବା ଆଶାରେ ଝଡା ଫୁଙ୍କା କଲେ | ଭାବନ୍ତୁ ଆପଣ ଆମେ ଆଧୁନିକ ହେଇଛେ ନା  ସେହି ଅନ୍ଧାରି ଇଲାକା ଭିତରେ ବଂଚିଛେ ତାହା ବୁଝା ପଡ଼େନି | ପିଲାଙ୍କୁ ଚେଙ୍କ ଦେବା ଘଟଣା ତ ସବୁବେଳେ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଛି | ତାହା ସହ ଡାହାଣୀ ଓ ଗୁଣି ଗାରେଡିକୁ ନେଇ ହତ୍ୟାର ଖବର ରାଜ୍ୟ ଠାରୁ ଦେଶ ପର୍ଯ୍ୟନ୍ତ କମିବାର ନା ଧରୁନି | କେବଳ ମାନବ ଅଧିକାର ଉଲ୍ଲଘଂନ ହେଉନି ତାହା ସହ ମାନବିକତାର ବି ଏକପ୍ରକାର ହତ୍ୟା ହେଉଛି | ଦେଶରେ  ଗୁଣି ,ଗାରେଡି,ଭୁତ,ପ୍ରେତ ଓ ଡାହାଣୀର ବିଶ୍ୱାସ ମଣିଷକୁ ଏପରି ଭାବରେ  କବଳିତ କରି ରଖିଛି ଯେ ମଣିଷ ସେଥିରୁ ମୁକୁଳି ପାରୁନି |
     
ଏଇ ଲେଖକ କେନ୍ଦୁଝର ଓ ମୟୁରଭଞ୍ଜ ଜ଼ିଲ୍ଲାରେ ଦଶ ବର୍ଷହେଲା ନିରନ୍ତର ରହି ଆସୁଛି | ଏହି ଦଶ ବର୍ଷ ଭିତରେ ଏହି ଜ଼ିଲ୍ଲାରେ ଯେତେ ଡାହାଣୀ ଓ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରାଯାଇଛି ,ତା ପଛର ଘଟଣାକୁ ଗଲେ ଅନେକ ସତ କଥା ପଦାକୁ ଆସେ | ଅନେକ ଜାଗାରେ ବିଧବା ଭାଉଜ,ଖୁଡି ଓ ଗାଁରେ ରହୁଥିବା ବିଧବା ଓ ଅସହାୟ ବୁଢ଼ୀ ମାନଙ୍କୁ ସମ୍ପତି ଲୋଭରେ ହତ୍ୟା କରାଯାଇଛି | କୋଉଠି ପରିବାର ଲୋକ ସମ୍ପତ୍ତି ଲୋଭରେ ନିଜ ପରିଜନକୁ ହତ୍ୟା କରି ଭାଉଜ ,ଖୁଡିକୁ ଡାହାଣୀ ସଜେଇ ଦେଇଛନ୍ତି | ଆଉ କୋଉଠି ଗାଁରେ କିଛି  ପରିବାରକୁ ରୋଗ ଲାଗି ରହିଲେ ବିନା କାରଣ ନ ଥାଇ ଗାଁରେ ରହୁଥିବା ଅସହାୟ ବୁଢ଼ୀ ଉପରେ ସନ୍ଦେହ କରାଯାଇ ସାମୁହିକ ନିଷ୍ପତ୍ତି ନିଆଯାଇ ତାକୁ ନିଆଁ ପାଣି ବନ୍ଦ କରାଯାଉଛି | ଆଉ କୋଉଠି ଅନେକ ଅସହାୟ ବୁଢାବୁଢ଼ୀଙ୍କୁ ଆଇନକୁ ନ ଡରି ହତ୍ୟା କରାଯାଉଛି | ଏପରିକି ଏହି ଭଳି କିଛି ହତ୍ୟା ଘଟଣାରେ ହତ୍ୟାକାରୀ ସେ ସବୁ କାମ କରି ଟିକେ ବି ଅନୁଶୋଚନା କରୁନାହିଁ | ଯେମିତି ଅନୁଭବ ହେଉଛି ମାନବିକତା ହଜି ଯାଉଛି | କିଛି ସ୍ଥାନରେବି ଆଇନକୁ ଖୋଲାଖୋଲି ଭାବେ ଆହ୍ୱାନ ଦେଇ ଅନେକ ଆଦିବାସୀ ସମ୍ପ୍ରଦାୟ,ବିଭିନ୍ନ ଗୋଷ୍ଠୀ ଓ ଗାଁ ଗୁଡିକ ଗୁଣି ,ଗାରେଡି ପାଇଁ ଥାନାକୁ ନ ଯାଇ ନିଜେ କଙ୍ଗାରୁ କୋର୍ଟ ବସାଇ ସନ୍ଦେହରେ ଥିବା ମଣିଷ ମାନଙ୍କୁ ସର୍ବ ସମ୍ମୁଖରେ ଅପମାନ ଦେଉଛନ୍ତି | ମୂତ ଓ ଝାଡା ଖୁଆଇ ନିର୍ଯାତନା ଦେଉଛନ୍ତି |
     
ଆମ ଦେଶ ତଥା ରାଜ୍ୟରେ ଅନେକ ସମୟରେ ଉଠୁଥିବା ଗୁଜବଗୁଡ଼ିକରୁ ଏ ଆଧୁନିକ ମଣିଷ ମୁକ୍ତ ହେଇପାରୁନି | ଗୁଜବର ଭାସି ଯାଈ ଏ ମଣିଷ ରାତି ଅଧରେ ଉଠି ଶିବ ମନ୍ଦିରରେ ପାଣି ଢାଳୁଛି | କୋଉଠି ପୁଣି ମହିଳାମାନେ ସକାଳୁ  ଉଠି ହାତର ଶଙ୍ଖା ବଦଳାଇ ଦୋକାନରୁ ନୂଆ ଶଙ୍ଖା ଆଣି ପିନ୍ଧୁଛନ୍ତି | ଏହି ଗୁଜବକୁ ଆଜିର ଦ୍ରୁତ ପ୍ରସାରିତ ମାଧ୍ୟମ ଯଥା ହ୍ଵାଟସଆପ୍ପ ଓ ଫେସବୁକ ଗୁଡିକ ଭଲ ଇନ୍ଧନ ଯୋଗାଉଛନ୍ତି | କିନ୍ତୁ ଏହି ଗୁଜବକୁ ନ ବୁଝି ଆମେ ଯୋଉମାନେ ବାଉଳା ହେଉଁଛେ ସେମାନେ ବୁଝିବା ଦରକାର ଏହା ପଛରେ କିଛି ଲୋକଙ୍କ ସ୍ୱାର୍ଥ ନିହିତ ଅଛି ଓ କିଛି ବେପାରୀ ମାଲେମାଲ ହେଉଛନ୍ତି |
       
ମଣିଷର ଗୁଣି ଗାରେଡି, ଭୁତ, ପ୍ରେତ ଓ ଡାହାଣୀର ବିଶ୍ୱାସକୁ  ଅନେକ ଟିଭି ଚାଁନେଲ ଓ ଚଳଚ୍ଚିତ୍ର ନିର୍ମାତା ମାନେ ଏହାକୁ ଅଧିକ ଦୃଢ଼ୀଭୁତ କରୁଛନ୍ତି |ଗଣମାଧ୍ୟମ ଗୁଡିକ  ଆମକୁ ସୂଚନା ଦେବା ସହ ସମାଜରେ ସଂସ୍କାର ଆଣେ |କିନ୍ତୁ ଏବେ ଟିଭି ଚାନେଲ ଗୁଡିକ ଯୋଉ ଧାରାବାହିକ ପରିବେଷଣ କରୁଛନ୍ତି ,ସେଗୁଡିକ ସମାଜ ଉପଯୋଗୀ ହେଉନାହିଁ |ବିଜ୍ଞାନର ଅଗ୍ରଗତି ଯୋଗୁ ମଣିଷର ଜୀବନ ଧାରଣ ବଦଳୁଛି |ତା ସହ ସମାଜରୁ ତନ୍ତ୍ର,ମନ୍ତ୍ର ,ଗୁଣି ଗାରେଡି ଓ କଳା ଯାଦୁ ପ୍ରତି ବି ଲୋକମାନଂକର ଭରସା କମୁଛି |କିନ୍ତୁ ଟିଭି ଚାନେଲ ଗୁଡିକ ଗୁଣି ଗାରେଡି,ଡାହାଣୀ ଓ ଭୁତ ପ୍ରେତ ପ୍ରତି ଲୋକଙ୍କ ମନରୁ ସନ୍ଦେହ ଦୂର କରିବା ଛାଡି ପୂର୍ଣ ଜନ୍ମ ,ପୂର୍ବ ଜନ୍ମ ,ନର ରାକ୍ଷସ,ଡାହାଣୀ ଓ ନାଗ ଦେବାଦେବୀଙ୍କ ଉପରେ କାହାଣୀ ସମ୍ବଳିତ  ଧାରାବାହିକ ସବୁ ପ୍ରସାର କରି ସମାଜରେ ଅସ୍ଥିରତା ସୃଷ୍ଟି କରିବା ସହ ଲୋକଙ୍କୁ ଅନ୍ଧ ବିଶ୍ଵାସ ଘେରକୁ ନେଇ ଯାଉଛଂନ୍ତି |ଧାରାବାହିକ ଗୁଡିକର ବେଶୀ ଦର୍ଶକ ହିଁ ମହିଳା ମାନେ ଥାଆନ୍ତି,ଆଉ ସେମାନେ ବେଶୀ ଭାବପ୍ରବଣ ସହ ଗୁଣି ଗାରେଡି ପ୍ରତି ବେଶୀ ଆକର୍ଷିତ ହୁଅନ୍ତି |ଏହି ସବୁ ଧାରାବାହିକ ଗୁଡିକ ପରିବାର ଭିତରେ ବି ଅଶାନ୍ତି ସୃଷ୍ଟି କରିବା ସହ ଅନେକ ପରିବାର  ଉଜାଡିବାରେ  ଲାଗିଛି |ଚଳଚିତ୍ରକୁ ଯେମିତି ସେନସର ବୋର୍ଡ଼ ମୁକ୍ତିଲାଭ କରିବା ପୂର୍ବରୁ ସମୀକ୍ଷା କରୁଛି ଠିକ ସେହିପରି ଦୂରଦର୍ଶନର ବିଭିନ୍ନ ଚାନେଲର ଧାରାବାହିକ ଗୁଡିକକୁ ସମୀକ୍ଷା କରି ପରିବେଷଣ ହେବାର ସମୟ ପହଂଚିଲାଣି |ଏଣେ ସରକାର ପାଠ ବହି,ସଚେତନତା ସଭା,ଗୋଷ୍ଠୀ କାର୍ଯ୍ୟକ୍ରମ ଜରିଆରେ ସମାଜରୁ ଅନ୍ଧ ବିଶ୍ଵାସ  ଦୂର କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକପ୍ରିୟ ଚାନେଲ ଗୁଡିକ ସମାଜରେ ଥିବା  କୁସଂସ୍କାରକୁ ଅଧିକ ପ୍ରଚାର ପ୍ରସାର କରି କୋଉ ସନ୍ଦେଶ  ଦେଉଛନ୍ତି ତାହା ବୁଝା ପଡୁନି?ତେଣୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାର ସମୟ ଆସିଛି |
  
ଆଜିର ଦ୍ରୁତ ପ୍ରଗତିଶୀଳ ଜୀବନରେ ଯୋଉ ମଣିଷମାନେ ଅନ୍ଧବିଶ୍ୱାସ ,ଅନ୍ଧ ବିଚାର  ଆଡେ ଢଳି ଅନେକ ଅବିଚାର କରୁଛନ୍ତି ଓ ସମାଜରେ ଯୋଉ ଅନ୍ଧ ଗଳିରେ ସେମାନେ ପାଦ ଥାପିଛନ୍ତି ସେହି ଗଳିର ରାସ୍ତା କେତେ ଅନ୍ଧାର ଓ  ସେଠି କେତେ ଆଲୋକ ଅଛି ସେମାନେ  ବିଚାର କରିପାରିଲେ  ଏଠି ଆଉ ଆଇନ ନୁହେ ମଣିଷର ସୁସ୍ଥ ବିଚାର ଅନ୍ଧବିଶ୍ୱାସର ମହାଦ୍ରୁମକୁ ଧରାଶାୟୀ କରିପାରିବ |

ନବଜୀବନ ସମାଜ, ସଫା, କଟକ-୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬