ଥକି ଗଲିଣି ହେ ଥକି ଗଲିଣି ହେ
ଥଇଥାନ ଟିକେ କର
ଥଳକୂଳ ନାହିଁ ସଂସାର-ସାଗର
ବଢାଇଦିଅ ଶ୍ରୀକର । ୦

ଥରିଥରି ଯାଏ ଜୀବନ-ନଉକା
ମାୟାର ପବନ ଘାତେ
ଥକାଲାଗେ ଭାରି ଆହେ ଚଉବାହା
ବୁଡିଯିବି କାଳେ ସତେ
ଥାନ ଦିଅ, କୂଳ ଦେଖାଇ ଦିଅ ହେ
ଥାଇ ପାଶେ ନିରନ୍ତର । ୧

ଥକା ଲାଗେ ବୋଲି ସଖା ହେବାପାଇଁ
ଡାକେ ମୁଁ ତୁମକୁ ହରି
ଥରିଲା ପରାଣେ ଆହା କହି କେତେ
ପତିତ ଦେଇଛ ତାରି
ଥତମତ କିଆଁ ହୁଅ ମୋବେଳକୁ
ଶରଣ ରଖ ଶ୍ରୀଧର । ୨

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jul 08, 2019