ପିସି କାରବାରେ ଚାଲିଛି ଶାସନ
କହିବି କାହାକୁ ମାଡୁଛି ଲାଜ
ଅସ୍ଥିର ହେଲାଣି ସଂସାର କଥା ଲୋ
କେହିବି ବୁଝୁନି ହୋଇ ସଜବାଜ ।
ଚାରିଆଡେ ଖାଲି ଦୁର୍ନୀତିର ଗନ୍ଧ
କହିଲେ ବାସନ୍ଦ କରିବେ ମୋତେ
ଗାଆଁ ଗହଳରୁ ସଚିବାଳୟ ଯାଏ
ସମସ୍ତେ ଖୋଜନ୍ତି ମିଳିବ କେତେ ।
ପିସିରେ ଚାଲୁଛି ରାଜ୍ଯରେ ଶାସନ
କରିଲେ କି ହେବ ମାନ ଅଭିମାନ
ଯେତେ କହିଲେ ବି ଶୁଣିବେନି କେହି
ଉପରି ତାଙ୍କର ଅଟେ ଭଗବାନ ।
ସବୁକ୍ଷେତ୍ରେ ଚାଲେ ପିସି କାରବାର
ନେତାଏ କୁହନ୍ତି ରାଜ୍ଯ ସୁନ୍ଦର
କାମଟିଏ ପାଇଁ ଦୌଡି ଦୌଡି ମରେ
ପିସି ନ ଦେଲେ ପାଏନି ଚେୟାର ।
ଦେଇଥିଲେ ପିସି ପାଏ ନମସ୍କାର
କହିବେ ପ୍ରଥମେ ଚା ଟିକେ ପିଅ
କରିଦେବି କାମ ରହିବନି ବାକି
ପିସିରେ ମନକୁ କିଣି ନେଇଯାଅ ।
ଗରିବ ଗୁରୁବା କାନ୍ଦି କାନ୍ଦି ମରେ
ଭାଗ୍ଯକୁ ଆଦରି ନେହୁରା ହୁଏ
ମନର ବେଦନା ବୁଝିବେନି କେହି
ନ ପାଇଲେ ସେ ପିସି ଟଙ୍କାଟିଏ ।
ନେତାଙ୍କୁ ଦେଉଛି ପିସି ବାରମାସ
ସେଥିପାଇଁ ଡାକେ ପାଖକୁ ଆସ ।
କାମ ନହେଲେବି କରିଦେବି ବିଲ
ମୋ ଠାରେ ଅଛି ସେଭଳି ସାହସ ।
ଅଫିସର ଏଠି ପିସିରେ ପାଗଳ
କାମ ପାଇଁ ନୁହେଁ ସେ ସଜବାଜ
ଏମିତିରେ ଏଠି ଚାଲିଛି ଶାସନ
କହିବି କାହାକୁ ମାଡୁଛି ଲାଜ ।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦
0 Comments
You can write now your valuable comments here. Off-topic comments may be removed or deleted without prior notice.