ତୁମ ନୀଳରଙ୍ଗ ଟିକିଏ ଆଣିକି
ମୋ ଦେହରେ ଦିଅ ବୋଳି ,
ଆପେ ଶୋଭମୟୀ ହୋଇଯିବି ମୁହିଁ
ସଖୀ ସେ କୃଷ୍ଣାଙ୍କ ଭଳି ।

ତୁମ ଅଙ୍ଗ ଶୋଭା ମୋ ତନୁରେ ମଣ୍ଡି
ଆନନ୍ଦେ ବିଭୋର ହେବି ,
ମନମୋହନଙ୍କ ମାନସୀ ବୋଲି ମୁଁ
ଦୁନିଆକୁ କହିଦେବି ।

ଯିଏ ଯା' କହିଲେ ତୁମ ନାମେ ଯୋଡ଼ି
ଦେବିନାହିଁ ଜମା କାନ ,
ପ୍ରିୟତମ ଯେଣୁ ତୁମପରେ ତେଣୁ
କରିବିନି ଅଭିମାନ ।

ତୁମେ ତ ଜାଣିଛ ମୋ ଅନ୍ତର କଥା
ଆଉ କି କହିବି କୁହ ,
ସବୁ ଜାଣିକି ବି ଏମିତି ମଉନ 
କେଜାଣି କାହିଁକି ରୁହ !

ଏ ମନ ପରାଣ ତୁମଠାରେ ସବୁ
ଅଳି ବାରେ ମୋର ରଖ ,
ନୀଳମଣି ତୁମ ନୀଳରଙ୍ଗ ଟିକେ
ଆଣି ମୋ ଦେହରେ ମାଖ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।