ନିଦାଘ ଶେଷେ ତୁମରି ଆଶେ
ସେମିତି ଅଛି ଚାହିଁ
ହୋଇଣ ଖୁସି ଯିବ ବରଷି
ପୂରି ଉଠିବ ନଈ...
ଗଗନ ପାଶେ ବଉଦ ଭାସେ
ଚପଳା ଦେଖା ନାହିଁ
ତମସା ହଟେ ସୂରୁଜ ଭେଟେ
ରୁଧିର ଯାଏ ବହି...
କୋଉଠି ଆଜି ଠିକଣା ଖୋଜି
ହେଇଛ ଦିଗ ହରା
ଦକ୍ଷିଣେ ଭାସ ପୂରୁବେ ହସ
ଦିଅନି ଆଉ ଧରା...
ପାଦପରାଜି ଗଲେଣି ହଜି
ତପତ ଧରା ଦେହ
ସମୀର ଦେଖ ହୋଇ ବିମୁଖ
ଢାଳୁଛି ଖାଲି କୋହ...
ଝଅଟେ ଆସି ଯିବ ବରଷି
କହନ୍ତି ସୁଧି ଜନେ
ସପନ ଆଜି ଯାଇଛି ଭାଜି
ଭାଳି ହେଉଛି ମନେ...
ହସିଲା ମୁହଁ କେମିତି କୁହ
ସହୁଛି ତୁମ ଦେହ
ବିକଳ ଦୃଦ ହୁଏ ଦଗଧ
ନୟନୁ ଝରେ ଲୁହ...