ତୁମ ବଇଁଶୀର ସାତସୁରେ ମୋର
ବିଚଳିତ ହୁଏ ମନ ,
ଜାଣିଶୁଣି ତୁମେ ନିଇତି ବଜାଅ
କାହିଁକି ହେ ଶ୍ୟାମଘନ !!

ମଧୁର ,ବିରହ,ବିଷାଦ,ମିଳନ 
ସବୁ ସୁର ଭାଙ୍ଗେ ଧ୍ୟାନ ।
ସବୁକିଛି ମୋତେ ଲାଗେ କୃଷ୍ଣମୟ 
ନ ରହେ ବିଷୟ ଜ୍ଞାନ ।

କାମଧାମ ସବୁ ଅଧାରେ ଛାଡ଼ିକି
ହୋଇଯାଏ ଆନମନା ,
ତୁମରି ପାଶକୁ ଧାଇଁ ଆସିବାକୁ
ଖୋଜଇ କେତେ ବାହାନା ।

ଗୋପପୁରେ ଯେତେ ରଟେ ଅପବାଦ
ଶୁଣେ ନ ଶୁଣିଲା ପରି ,
ତୁମଲାଗି ସାରା କଳଙ୍କକୁ ପରା
ନେଇଛି ତିଳକ କରି ।

ଜାଣେନା ମୁଁ କେଉଁ ଯୋଗ-ଲଗନରେ
ତୁମସହ ହେଲା ଭାବ ,
ଅଚାନକ କେବେ ବିଚ୍ଛେଦ ଘଟିଲେ
ନିଶ୍ଚୟ ଏ ଜୀଵ ଯିବ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।