ଜୀବନକୁ ଯେ ପାଖରୁ ପଢିଛି
ମରଣ ତା ପାଇଁ ପ୍ରହସନ,
କ୍ଷମାର ପଥକୁ ଧର୍ମ ଆଚରିଛି
କ୍ଷତି ତା ପାଇଁ ଅଭିମାନ।
ସଂସ୍କାରକୁ ଯେ ପ୍ରେମିକା ଭାବିଛି
ଦୁଃଖ ତା ପାଶେ ମ୍ରିୟମାଣ,
ବାସ୍ତବତାକୁ ଯେ ଆଦର୍ଶ ବରିଛି
ସ୍ୱପ୍ନ ତେଜିଥାଏ ଆସ୍ଫାଳନ।
କାମନାକୁ ଯେ ଦୁଃସ୍ୱପ୍ନ ମଣିଛି
କଳ୍ପନା ତା ପାଇଁ ସ୍ୱାଭିମାନ,
ପ୍ରାଚୁର୍ଯ୍ୟ ଯା ପାଇଁ ତୁଚ୍ଛ ନଗଣ୍ୟ
ଭୋଗକୁ ଦିଏସେ ବଳିଦାନ।
ପ୍ରଶଂସା ଯାପାଇଁ ତୁଚ୍ଛ ପଦ ଧୂଳି
ନିନ୍ଦାର ଘଟାଏ ଅବସାନ,
ପ୍ରତିଭାକୁ ଶତ ଇଜ୍ଜତ ଯେ ଦିଏ
ପ୍ରତିଦ୍ୱନ୍ଦୀ ଭାବ ମୂଲ୍ୟହୀନ।
ପୁଣ୍ୟାତ୍ମାକୁ ଯେ ପୁଷ୍ପାଞ୍ଜଳି ଦିଏ
ପାପ ବ୍ୟଭିଚାର ହେୟ ଘୃଣ୍ୟ,
ପ୍ରେମ ଶ୍ରଦ୍ଧା ଯାର କଲମ ଲେଖନୀ
ଶ୍ମସାନ ହୁଅଇ ତପୋବନ॥
ନାରାୟଣ ସେନାପତି, ଜମ୍ଭରା, କେନ୍ଦୁଝର
0 Comments
You can write now your valuable comments here. Off-topic comments may be removed or deleted without prior notice.