ଜୀବନ ସମୟରେ ବନ୍ଧା | କାଳ ଗର୍ଭରେ  ହଜି ଯାଇଛି ଆମ ସୁଖ ,ଦୁଃଖର ଅନେକ ଦିନ  |ଜୀବନରେ ଘଟି ଯାଇଥିବା ଭୁଲ ,ଭଟକା ପାଇଁ   ଅତୀତ ଆମକୁ ଚେତେଇ ଦେଇଛି | ଅତୀତର ପାଇଥିବା ଅନେକ ଶିକ୍ଷାକୁ ଆମେ ପାଥେୟ କରି ଏକ ଅନିଶ୍ଚିତ ଭବିଷ୍ୟତ  ଆଡ଼କୁ ସଦା ଆଗେଇ ଚାଲିଛୁ | ଆମେ ବର୍ତ୍ତମାନରେ ଥାଇ ଭବିଷ୍ୟତ ପାଇଁ ଅନେକ ଯୋଜନା କରିଚାଲିଛୁ | ଭବିଷ୍ୟତ ଆମ ପାଇଁ ଏକ କଳ୍ପନା ହେଲେ ମଧ୍ୟ ଆମକୁ ଆଗାମୀ ଦିନ ପାଇଁ ଯୋଜନା ସବୁ ତିଆରି କରିବାକୁ ପଡୁଛି | ସମୟକୁ ତ କେହି ଅଟକାଇ ପାରିବେନି | ସମୟ କାହାର ଗୋଲାମ ନୁହେ | ବର୍ଷ ,ମାସ ,ଦିନ ଓ ଦଣ୍ଡରେ ଆମେ ସିନା ତାକୁ ବାନ୍ଧି  ଗଣନା କରୁଛେ କିନ୍ତୁ ସେ କାହାର ଅକ୍ତିଆରରେ ଏବେ ନାହିଁ କି ଆଗରୁ ନଥିଲା | ସେଥିପାଇଁ ସେ ବଳବାନ ଆଉ ତାକୁ ଯିଏ ବୁଝିପାରିଲା ସିଏ ଏଠି ମହୀୟାନ |

ଆପଣ ଯେତେ ସମୟକୁ ସମ୍ମାନ ଦେଲେ କଣ ହେବ ,ଅନ୍ୟ ମାନଙ୍କର ଏଠି ସମୟ ପ୍ରତି  ଥିବା ସମ୍ମାନକୁ  ଦେଖିଲେ ଆପଣ ମୁଣ୍ଡ ପିଟି କାନ୍ଦିବାକୁ ଇଛା ହେବ | ଆମ ଦେଶର ବିଭିନ୍ନ ପରିସ୍ଥତି,ବ୍ୟବସ୍ଥା ଓ ପରିବେଶ ଯୋଗୁ ଆପଣଙ୍କ  ଅନେକ ବହୁମୂଲ୍ୟ ସମୟ ପାଣି ଭଳି ବୋହିଯାଏ | ଯାହା କେବଳ ଆପଣଙ୍କୁ ଦୁଃଖ ଦିଏ ନାହିଁ  ଆପଣ ସେଥିପାଇଁ  ବିଚଳିତ ଓ ଅସନ୍ତୋଷ ପ୍ରକାଶ କଲେ ମଧ୍ୟ ଏବେବି ତାହାର ସମାଧାନ ପାଇଁ କିଏ କିଛି ଚିନ୍ତା କରୁଥିବା ଭଳି ଜଣା ପଡେ ନାହିଁ |
   
ଆଜିର ଦିନରେ  ବ୍ୟାଙ୍କ ଗୁଡିକରେ କିପରି ଆମ ମାନଙ୍କର ସମୟ ନଷ୍ଟ ହେଉଛି ଆମ ସମସ୍ତଙ୍କୁ ତାହା ଜଣା | ବେସରକାରୀ ବ୍ୟାଙ୍କ ଗୁଡିକ ଛାଡିଦେଲେ ଅନେକ ସରକାରୀ ବ୍ୟାଙ୍କ ଗୁଡିକରେ ଗୋଟେ ସାଧାରଣ କାମ ପାଇଁ ଆମ ମାନଙ୍କର ଅନେକ ସମୟ ବରବାଦ ହୂଏ | ଆପଣ ଚାଳିଶ ଲୋକଙ୍କ ପଛରେ ଧାଡି ଲଗେଇ ଗଲା ବେଳକୁ କେତେବେଳେ ଲିଙ୍କ ଫେଲ ହୁଏତ ଆଉ କେତେବଳେ ଆପଣ ଭୁଲ କାଉଂଟରରେ ଛିଡା ହେଇଥିବାର ଖବର ଶୁଣି ପୁଣି ଥରେ ଆର କାଉଣ୍ଟରଟିକୁ ଯିବାକୁ ପଡେ | ସେଠି ପୁଣି ଆପଣ ଧାଡିରେ ଛିଡା ହେବେ | ସେଦିନ କାମ ହେବ କି ନ ହେବ ,ତାହା ଆପଣ କହି ପାରିବେ ନାହିଁ | ଯଦି ଆପଣଙ୍କ  କାମଟି ହେଇଗଲା ତାହା ଆପଣଙ୍କ ସୌଭାଗ୍ୟ ବୋଲି ଭାବିବେ | କିଛି ସମୟର  କାମ ପାଇଁ ଆପଣ ବ୍ୟାଙ୍କ ଓ ଡାକଘର ଗୁଡିକରେ କେତେ ସମୟ ଅପେକ୍ଷା କରନ୍ତି ତାହା ନ କହିବା ଭଲ | ମୁଖ୍ୟ ଡାକଘର ଛାଡ଼ନ୍ତୁ ଅନେକ ଉପ ଡାକଘର ଗୁଡିକରେ ଆପଣଙ୍କୁ ଗୋଟେ ଛୋଟ କାମ ପାଇଁ ଅନେକ ସମୟ ଅପେକ୍ଷାରେ ରହିଲା ପରେ କିଛି କାରଣ ନ ଥାଇ ଆପଣ କାଲି ଆସନ୍ତୁ ବୋଲି ଅଧିକାରୀ ଜଣଙ୍କ କହିବେ | ଆପଣ କାନ ମୁଣ୍ଡ ଆଉଁସି ଘରକୁ ଆସିବେ | ଆପଣଙ୍କ ଗୁରୁତ୍ୱପୁର୍ଣ କାମଟି ହେଇ ପାରିବ ନାହିଁ |
    
ଭାରତରେ ଟ୍ରେନ ଗୁଡିକ କିପରି ବିଳମ୍ବରେ ଚାଲେ ତାହା ସମସ୍ତେ ଜାଣନ୍ତି | ଏପରିକି ଏକ୍ସପ୍ରେସ ଟ୍ରେନ ଗୁଡିକ ବେଳେ ବେଳେ ୧୫ ଘଣ୍ଟା ବିଳମ୍ବରେ ଚାଲେ |  ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥା,କିନ୍ତୁ ଟ୍ରେନ ଆସିବ ନାହିଁ | କେବଳ ସୂଚନା ପାଉଥିବେ ଟ୍ରେନଟି ଆଉ ଦୁଇ ଘଣ୍ଟା ଭିତରେ ଷ୍ଟେସନରେ  ପହଂଚିବାର ସମ୍ଭାବନା ଅଛି | କିନ୍ତୁ  ଦୁଇ ଘଣ୍ଟା ଯାଇ ୧୦ ଘଣ୍ଟା ଅତିକ୍ରମ କରିବନି କିନ୍ତୁ ଟ୍ରେନ ଆସୁ ନଥିବ | ଆପଣ ଆଉ କଣ କରିବେ ଖୁଣ୍ଟଟା ଭଳି ବସି ଟ୍ରେନ ଆସିବାକୁ ଅପେକ୍ଷା କରିବେ | ଯୋଜନା ମୁତାବକ ଯାହା ସବୁ ଭାବିଥିଲେ ତାହା କରି ପାରିବେ ନାହିଁ | ଟ୍ରେନ ଭଳି ଆପଣ ସବୁ କାମ ବିଳମ୍ବ ହେବ | ଆପଣ ଭାଗ୍ୟକୁ ଦୋଷ ଦେବା ସହ ଏ ଦେଶର ବିଧି ବବ୍ୟସ୍ଥାକୁ ଯେତେ ଗାଳି ଦେଲେ କଣ ହେବ କିଛି ପରିବର୍ତ୍ତନ ହୂଏ ନାହିଁ |
      
ସରକାରୀ କାର୍ଯ୍ୟାଳୟକୁ ଯାଇ କାମଟି କରିବା କେତେ କଷ୍ଟ ତାହା ଆମ ସମସ୍ତକୁ ଭଲ ଭାବେ ଜଣା | ଯାହାର କେହି ଅଧିକାରୀ  , ନେତା ଓ ମନ୍ତ୍ରୀ ସହ ପରିଚୟ ନ ଥିବ ସିଏ କେତେଥର ସରକାରୀ କାର୍ଯ୍ୟାଳୟକୁ ଗୋଟେ କାମ ପାଇଁ ଦୌଡେ ସେହି ଲୋକ ନିଜେ ଜାଣେ | ଆପଣ ଯଦି ଲାଞ୍ଚ ଦେବାର ଘୋର ବିରୋଧୀ ହେଇଥିବେ ,ତେବେ ଆପଣ ଦୌଡ଼ି ଦୌଡ଼ି ଚପଲ ଘୋରି ହେଇଯିବ ପଛେ କାମଟି କରି ପାରିବେ ନାହିଁ | କିନ୍ତୁ ଏଇ ଦେଶରେ କିଛି ସରକାରୀ ଅଧିକାରୀ ଅଛନ୍ତି ସେମାନେ ସାଧାରଣ ଲୋକଙ୍କ ସମସ୍ୟାକୁ ଶୁଣନ୍ତି ଓ ନିଦ୍ଧିଷ୍ଟ ସମୟ ଭିତରେ ଆପଣଙ୍କ କାମଟିକୁ ଶେଷ କରନ୍ତି | କିନ୍ତୁ ସେହି ଭଳି ଅଧିକାରୀ ମାନଙ୍କ ଆମ ଦେଶରେ ଘୋର ମରୁଡି |
   
ଆମ ଦେଶରେ ବିଭିନ୍ନ ବିଭାଗର ଅଧିକାରୀ ,ମନ୍ତ୍ରୀ ମାନଙ୍କୁ ଭେଟିବା ପାଇଁ ଆମର କେତେ ଯେ ବହୁମୂଲ୍ୟ ସମୟ ନଷ୍ଟ ହୂଏ ତାହାର କେହି ବିଚାର କରନ୍ତି ନାହିଁ | କି ସେଥିପାଇଁ କାହାର ଅନୁଶୋଚନା ନାହିଁ | ଅନେକ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ଓ ମନ୍ତ୍ରୀମାନେ ଆପଣଙ୍କୁ ଅନେକ ଥର ଦୌଡ଼ାଇବା ପରେ ବି ଆପଣଙ୍କ  କାମ କରନ୍ତି ନାହିଁ |  ଏ ଦେଶରେ ଆପଣଙ୍କ ସମୟର କିଛି ମୂଲ୍ୟ ନ ଥିବା  ଆପଣ ଜାଣି ପାରି ଏ ଦେଶ ସେଥିପାଇଁ ବୋଧେ ଆଗେଇ ପାରି ନାହୁଁ ବୋଲି ଅନୁଭବ କରି ଅଶାନ୍ତି ଭିତରେ ଦିନ କାଟନ୍ତି | ଅଶାନ୍ତି ହେବାର କିଛି ନାହିଁ ଆଂଜ୍ଞା | ଆମେ ସବୁ  ପାଠୁଆ ଲୋକ | ସେହି ପାଠୁଆ ଲୋକଙ୍କ  ଭିତରୁ ଅନେକ ଲୋକ ସେମାନଙ୍କ ସମୟକୁ ଠିକ ଭାବେ ବୁଝନ୍ତି କିନ୍ତୁ ଅନ୍ୟମାନଙ୍କ ସମୟ ପ୍ରତି ସେମାନଙ୍କ ସମ୍ମାନ ନଥାଏ | ଆପଣଙ୍କ ସମୟ ନଷ୍ଟ ହେଲେ  ତାଙ୍କର କଣ ଯାଉଛି  ? ଏହି ଦେଶରେ ସମସ୍ତେ ଯଦି ସମୟର ପୂଜାରୀ ହେଇଥାନ୍ତେ ଆମ ପ୍ରଗତି କେତେ ଶିଖରକୁ ଛୁଅଁନ୍ତାନି ତାହା ଭାବି ହେଉନି |
    
ଆମ ଦେଶର ଜଳବାୟୁବି ଆମର ଅନେକ ସମୟ ବରବାଦ କରେ | ଏବେତ ଋତୁଚକ୍ର ଅନୁଯାୟୀ ପାଣିପାଗ ଠିକ ରହୁନି |ଏ ଦେଶରେ ଶୀତ ଦିନ ଓ ବର୍ଷା ଦିନରେ ବି ଅସହ୍ୟ ଗରମ ହେଉଛି | ଆମ ଦେଶ ତଥା ରାଜ୍ୟର ଜଳବାୟୁ ଆମକୁ ଆମ କାମ ଗୁଡିକକୁ ଠିକ ସମୟରେ କରିବା ପାଇଁ ସହାୟ ହେଉନାହିଁ | ସେଥିପାଇଁ ଆମେ ଆଜିର କାମକୁ କାଲିକୁ ରଖୁଛେ | ପୁଣି କାଲି ପାଗ ଭଲ ନ ରହିଲେ ଆମର ସମୟ ଏମିତି ଗଡି ଚାଲୁଛି |
      
ଏବେକାର ସଭାସମିତି ଗୁଡିକରେ କିପରି ଆପଣଙ୍କ ସମୟ ନଷ୍ଟ ହୂଏ ଆପଣ ଠିକ ଜାଣନ୍ତି | ଆପଣ ନିମନ୍ତ୍ରଣ ପାଇଥିବା ସଭା କି ଉତ୍ସବରେ ଠିକ ସମୟରେ ପହଂଚିବେ ,କିନ୍ତୁ ସେହି ମଞ୍ଚର ଅତିଥି,ମୁଖ୍ୟବକ୍ତା ଓ ଅନ୍ୟମାନେ ଠିକ ସମୟରେ ପହଂଚିବେ ନାହିଁ | ଆପଣ ଯେହେତୁ ଯାଇଛନ୍ତି ସଭା ସ୍ଥଳ ଛାଡି ଆସି ପାରୁନଥିବେ | ସଭା ସ୍ଥଳୀରେ ପଡିଥିବା ଚେୟାର ଓ ଜଣକ ପରେ ଜଣେ ଆସୁଥିବା ଶ୍ରୋତାଙ୍କୁ ଆପଣ ବସି ଗଣୁଥିବେ | ସଭା ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହେବ | ଆପଣ ସେଦିନ ଆଉ କିଛି କାମ କରି ପାରିବେ ନାହିଁ | ଗୋଟେ ୩ ଘଣ୍ଟା ସଭା ପାଇଁ  ଆପଣ ,ଗୋଟେ ଦିନ ନଷ୍ଟ କରିବେ |
  
ଆପଣ ଜଣକୁ ଅପେକ୍ଷା କରିଥିବେ ହେଇ ଯାଉଛି କହି ସିଏ ଆପଣଙ୍କୁ ଏକ ଘଣ୍ଟା ଠିଆ କରେଇ ଦେବ,ଆଉ ଆସିଲା ପରେ କହିବି-ଭାଇ ସରି ,ଟିକେ ଲେଟ ହେଇଗଲା | ଆପଣ ଆଉ କଣ କରିବେ ,ସେହି ଲୋକ ପାଖରେ ଆପଣଙ୍କ କିଛି ଗୁରୁତ୍ୱପୁର୍ଣ କାମ ଥିବ ତେଣୁ ଆପଣ ଦାନ୍ତ କାମୁଡିକି ରହିବେ ସିନା କିଛି କହି ପାରିବେ ନାହିଁ | ଆମ ଦେଶରେ ଯେବେ କ୍ରିକେଟ ମେଚ ଚାଲେ ସେଦିନ ଦେଶରେ ଅନେକ ଲୋକ ନିଜ କାମଧନ୍ଦା ଛାଡ଼ି ଟିଭି ଆଗରେ ବସିଯାନ୍ତି | ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଅଘୋଷିତ ଛୁଟି ପରିଲକ୍ଷିତ ହୁଏ | ଭାରତ ଯଦି ଜିତିଲା ତ ଭଲ,ନ ହେଲେ ହାରିଲେ ସବୁ ସରିଲା | କିଛି ଲୋକ ଭାରତ ହାରିବା ନେଇ ଏତେ ଦୁଃଖରେ ଭାଙ୍ଗି ପଡନ୍ତି ଯେ ,ଦୁଇଦିନ ଖଣ୍ଡେ କିଛି କାମ କରନ୍ତି ନାହିଁ | ତା ସହିତ ମେଚ ଜିତିବା ଆଉ ହାରିବା ନେଇ  ଘର ଠାରୁ  ବାହାର ଯାଏଁ ଯେତେ ଆଲୋଚନାରେ ସମୟ ସରେ ତାହା ବୋଧେ ଅନ୍ୟ କୋଉ ଦେଶରେ ହେଉନଥିବ | ଆପଣ କାମ ପାଇଁ ଗାଡି ,ମୋଟରରେ ବାହାରକୁ ଯାଉଛନ୍ତି | ଗନ୍ତବ୍ୟ ସ୍ଥଳରେ ପହଂଚି କାମଟି ସାରି ଆଉ କିଛି କାମ ଗୋଟେ ଦିନ ଭିତରେ କରିବାର ଯୋଜନା କରିଥିବେ | କିନ୍ତୁ ଅଧା ରାସ୍ତାରେ ଗାଡି ଅଟକି ଯିବ | କାରଣ ସେଠି କୌଣସି ଦାବି,ଅବହେଳା,ଦୁର୍ଘଟଣା ଓ ଅନ୍ୟ କିଛି କାରଣ ପାଇଁ ରାସ୍ତା ଅବରୋଧ  କରାଯାଇଥିବ | ଗାଡି ସେଠି ଅଟକିଲା ଆଉ ଆପଣଙ୍କ ସମୟ ସେଠି ଚାରି ,ପାଞ୍ଚ ଘଣ୍ଟା ସରିଲା ବୋଲି ଜାଣ |
   
ସମୟ ହିଁ ପଇସା | ଏଇ କଥାକୁ କମ୍ପାନୀ ଓ ବେସରକାରୀ ପ୍ରତିଷ୍ଠାନଗୁଡିକ  ଭଲକି ବୁଝିଥାନ୍ତି | ତେଣୁ ସେମାନେ ସେକେଣ୍ଡ ହିସାବରେ କାମ କରନ୍ତି | ଆଉ ଗୋଟେ ମିନିଟ ନଷ୍ଟ ହେଲେ ନିଜ କର୍ମଚାରୀକୁ ନାନା କୈଫତ ମାଗନ୍ତି | କିନ୍ତୁ ସେଇଟା ସରକାରୀ ବିଭାଗରେ ଦେଖାଯାଏ ନାହିଁ | କାମ ହେଲେ କେତେ ,ନ ହେଲେ କେତେ ସେଥିରେ କାହାର ଯା,ଆସ ନାହିଁ | ଏ ଦେଶରେ ଆପଣ ସମୟକୁ ଦେଖି ଯେତେ ଯୋଜନା ତିଆରି କଲେ ବି ଆପଣ ହାରିଯିବେ | ଆପଣ ସମୟର ପୂଜାରୀ ହେଲେ କଣ ହେବ ଆମର ବିଧି, ଅନ୍ୟ ମାନଙ୍କ ସମୟ ପ୍ରତି ସମ୍ମାନ ଓ ସମୟ ଅନୁଯାୟୀ କାମ କରିବାର ଆଗ୍ରହକୁ ଦେଖିଲେ ଆପଣ ବି ଏ ଦେଶରେ ଅଳସୁଆ ହେଇଯିବେ | ତେଣୁ ଆପଣଙ୍କ ବହୁମୂଲ୍ୟ ସମୟ ନଷ୍ଟ କରୁଥିବା ଲୋକମାନଙ୍କ ପାଇଁ ଆପଣ କାନ୍ଦିଲେବି କିଛି କରି ପାରିବେ ନାହିଁ | କାରଣ ସମୟ ବି ଏଠି ହାର ମାନିଗଲାଣି | ଆମ ଲୋକଙ୍କ ସମୟ ଜ୍ଞାନ ଓ ସମୟକୁ ଉପଯୋଗ କରିବାର ତରିକା ଦେଖି  ଅତୀତ ଏଠି ରୋଦନ କରୁଛି ଆଉ ବର୍ତ୍ତମାନ ହସୁଛି |ଆଗକୁ ଆମ ଦେଶର ଭବିଷ୍ୟତ ଯାହା ତାହା ଠିକ ଭାବରେ କିଛି ପରିମାଣରେ ବୁଝା ପଡୁଛି |

ନବଜୀବନ ସମାଜ, ସଫା,
କଟକ -୭୫୪୦୨୨
ଦୂରଭାଷ-୯୭୭୭୭୬୬୩୪୬