ରଥଯାତ୍ରା - ହାସ୍ୟମୟୀ ରାଜ୍

0

ରାତି ପାହେ
ଆଶାଢ ଶୁକ୍ଳ ଦ୍ଵିତୀୟାର
ପୂଣ୍ୟ ତିଥି ନେଇ
ବିଶ୍ବ ଚାହିଁଥାଏ
ନିର୍ନିମେଷ ନୟନରେ
ତୋ ବଡ ଦାଣ୍ଡକୁ
ଦେଖିବାକୁ ତୋର ରଥଯାତ
ତୋ ପ୍ରିୟ ନନ୍ଦିଘୋଷ,
ଭାଇ ଭଉଣୀ ମେଳେ
ଯିବୁ ତୁ ମାଉସୀ ଘର
ଜଗାରେ!!!
ଆଜି ତୋର
କେଡେ ଶୁଭଦିନ
ବିଶ୍ବର କୋଣ ଅନୁକୋଣେ
କେତେ ଭକ୍ତ ଜନ ସମାବେଶ
କେତେଯେ ଆବେଗ
କେତେଯେ ଉଲ୍ଲାସ  ।
ବାଜା ନୃତ୍ୟ ଖୋଳ ତାଳ
ପ୍ରକମ୍ପିତ ପବିତ୍ର ପ୍ରାଙ୍ଗଣ
ଆସିବୁ ତୁ ପୂଣ୍ୟ ବଡଦାଣ୍ଡ
ଛାଡି ତୋ ଗମ୍ଭିରା ପୁର
ତୋର ରତ୍ନବେଦି
ଦିବ୍ଯ ଶ୍ରୀ ମନ୍ଦିର,
ବରଷକେ ଥରେ ଯିବୁ
ମାଉସୀମା ଘର
ଯିବା ବାଟେ ବୁଝିବୁ ତୁ
ଜଗତ ବାସୀଙ୍କ ଦୁଃଖ
ହେ ଜଗତ ନାଥ!!!
ତୋ ଚକାଡ଼ୋଳା
ତୋ ଚାହାଣୀରେ
କେତେ ମାଦକତା
ଲାଖିଯାଏ ଆଖି ମୋର
ଗଡିଯାଏ ଲୁହ ଦୁଇଧାର  ।
ତୁ କଣ ସତରେ ଆସୁ !!!
ଭଲ ମନ୍ଦ ବୁଝିବାକୁ
ତୋ ପ୍ରିୟଜନଙ୍କର
ତୁ ଥାଉ ଥାଉ
କାହିଁକି ଯେ ଘଟିଯାଏ
ଏତେ ଅଘଟଣ ???
ଚାହିଁଥାଏ ତୋ ଆଖିରେ
ମୋ ଆଖି ମିଶେଇ
ସତେ କିଛି କହୁଥାଉ
ତୋ ନିଶବ୍ଦ ଚାହାଣିରେ
ମୁଁ କିଛି ବୁଝେନାହିଁ
ଦେଖେ ଖାଲି ତୋର ଚକା ଆଖି
ଯେଉଠିଁ ଦୀପ୍ତିମାନ
ଏ ବିଶ୍ୱର ଯେତେ ସବୁ ଛବି 
ସବୁ ଅତୃପ୍ତିର ପୁର୍ଣ୍ଣଛେଦ ଟାଣି
ଯିଏ ଭରିଦିଏ ତୃପ୍ତି,
ତୋର ଘଣ୍ଟ ଘଣ୍ଟା କୋଳାହଳ
ନୃତ୍ୟ ଗୀତ ପହଣ୍ଡି
ତୋ ଟାହିଆର
ଦିବ୍ୟ ବେହରଣ
ବେଶ ପରିପାଟି
ବିଚିତ୍ର ବର୍ଣ୍ଣାଳୀ ଭିତରେ
ଦେଖୁଥାଏ ଦୁଇଗୋଟି
ଚକା ଚକା ଆଖି
ତା ଭିତରେ
ଲୀନ ହୋଇଯାଉଥାଏ
କୋଟି କୋଟି ହୃଦୟ ବେଦନା
ଭରିଦେଇ ଶାନ୍ତି ପ୍ରୀତି ସ୍ବସ୍ତି ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jun 26, 2019

Post a Comment

0Comments
Post a Comment (0)